ଚମ୍ପୁଆ, ୧୪/୦୩: ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଏନଏଚ୍–୨୦ କାଞ୍ଚନପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇଟି ବାରହାଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ରାତି ୧୦ ଟାରୁ ୧୦ଟା ୩୦ ମଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦୁଇଟିଯାକ ବୟସ୍କ ମାଈ ବାରହା ବୋଲି ସୂଚନା ମିଳିଛି ।
ରାସ୍ତାକଡ଼ ଗ୍ରାମ୍ୟ ଜଙ୍ଗଲରୁ ବାହାରି ଦୁଇଟିଯାକ ବାରହା ଏନଏଚ୍–୨୦ ର ଚମ୍ପୁଆ–ରିମୁଳି ରାସ୍ତା ଅତିକ୍ରମ କରୁଥିବାବେଳେ ଦ୍ରୁତଗତିରେ ଯାଉଥିବା କୌଣସି ଏକ ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ବାରହାର ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ବେଳେ ଅନ୍ୟଟି ପ୍ରାୟ ୨୦ ମିଟର ଦୂରରେ ଛିଟିକି ପଡ଼ିଥିଲା ।
ଖବରପାଇ ଚମ୍ପୁଆ ପୋଲିସ୍ ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାରହାର କ୍ଷତାକ୍ତ ମୃତଦେହ ଉଦ୍ଧାର କରି ଚମ୍ପୁଆ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଛନ୍ତି । ଶନିବାର ଶବ ବ୍ୟବଚ୍ଛେଦ ପରେ ଉଭୟ ମୃତଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।