ନୂଆଦିଲ୍ଲୀ, ୦୧/୦୪: ଉତ୍କଳ ଦିବସ ଉପଲକ୍ଷେ ଅଗଣିତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ। ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି। ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ। ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି।
ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି।