ଭୟଙ୍କର ବିମାନ ଦୁର୍ଘଟଣା; ସବୁ ଯାତ୍ରୀ ମୃତ

ପାହାଡ଼ରେ ଧକ୍କା ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଲା

କ୍ରିମିଆ, ୦୧/୦୪: କ୍ରିମିଆରେ କ୍ରାସ୍ ହେଲା ଋଷୀୟ ମିଲିଟାରୀ ପ୍ଲେନ୍‌। ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ୨୩ ଜଣ ଯାତ୍ରୀ ଓ ୬ ଜଣ ବିମାନ କ୍ରୁ ପ୍ରାଣ ହରାଇଛନ୍ତି। AN-୨୬ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ବିଭାଗ କହିଛି। ବିମାନଟି ଏକ ପାହାଡ଼ରେ ଧକ୍କା ହୋଇଥିବା ରିପୋର୍ଟ ହୋଇଛି।

ଟାସ୍ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬ଟାରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯାହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବିମାନରେ କୌଣସି ପ୍ରକାର ପକ୍ଷୀ, କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ଆକ୍ରମଣ ହେବାର ପ୍ରମାଣ ମିଳିନାହିଁ।

An-26 ହେଉଛି ଏକ ସୋଭିଏତ୍ ଯୁଗର ବିମାନ ଯାହା ମୁଖ୍ୟତଃ ସାମରିକ କ୍ଷମତାରେ ଭାରୀ ମାଲ ପରିବହନ ଏବଂ କମ୍ ସଂଖ୍ୟକ ଯାତ୍ରୀଙ୍କୁ ସ୍ୱଳ୍ପରୁ ମଧ୍ୟମ ଦୂରତାରେ ପରିବହନ କରିବା ପାଇଁ ବ୍ୟବହୃତ ହୁଏ। ଏହା ୟୁକ୍ରେନୀୟ ଏରୋସ୍ପେସ୍ କମ୍ପାନୀ ଆଣ୍ଟୋନୋଭ ଦ୍ୱାରା ନିର୍ମିତ। ୨୦୨୦ ମସିହାରେ ଖାରକିଭରେ ଏକ ୟୁକ୍ରେନୀୟ An-26 ଖସି ପଡ଼ିବାରୁ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ୨୦୨୧ରେ ରୁଷରେ ଆଉ ଏକ ଦୁର୍ଘଟଣାରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୨୨ ମସିହାରେ, ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୪ ମସିହାରେ ୟୁକ୍ରେନ ଠାରୁ କ୍ରିମିଆକୁ ନିଜ ଅଧିନକୁ ଆଣିଥିଲା ରୁଷ।