ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ
ଜମି ମାଫିଆଙ୍କ ସିଣ୍ଡିକେଟ କବଳରେ ଥିଲେ
ଝାରସୁଗୁଡ଼ା, ୦୧/୦୪: ଝାରସୁଗୁଡ଼ାରେ ପର୍ଦ୍ଦାଫାସ ହୋଇ ଥିବା ବ୍ୟାପକ ଜମି ଦୁର୍ନୀତି କାଣ୍ଡ ଏବେ ଜିଲ୍ଲାର ମୂଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଘଟଣାରେ ନିଲମ୍ବିତ ଜିଲ୍ଲା ସବ୍-ରେଜିଷ୍ଟ୍ରାର (DSR) ବିକାଶ କୁଜୁରଙ୍କ ଭୂମିକାକୁ ନେଇ ଅନେକ ସଂଘାତିକ ତଥ୍ୟ ସାମ୍ନାକୁ ଆସୁଥିବାରୁ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଡିଏସଆର ପଦବୀରେ ରହି ବିକାଶ କୁଜୁର କଥିତ ଭାବେ ଜମି ମାଫିଆଙ୍କ ସହ ମିଳିତ ଭାବେ ଏକ ସଂଗଠିତ ରାକେଟ୍ ଚାଲାଉଥିଲେ। ଏହି ରାକେଟ ଜାଲ ଦଲିଲ ପ୍ରସ୍ତୁତ, ବେଆଇନ ରେଜିଷ୍ଟ୍ରେସନ ଓ ନିୟମ ଉଲ୍ଲଂଘନ କରି ବିଶେଷକରି ଆଦିବାସୀ ଓ ସରକାରୀ ଜମିକୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ଆସିଛି।
ଅଭିଯୋଗ ଅନୁଯାୟୀ, ଓଡ଼ିଶା ଭୂସଂସ୍କାର ଆଇନକୁ ଅବହେଳା କରି ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କ ନାମରେ ବେଆଇନ ଭାବେ ହସ୍ତାନ୍ତର କରାଯାଇଛି। ଏହା ପାଇଁ ଜାତିଗତ ତଥ୍ୟରେ ମଧ୍ୟ ଜାଣିଶୁଣି ପରିବର୍ତ୍ତନ କରାଯାଇଥିବା ସନ୍ଦେହ ରହିଛି।
ସରକାରୀ ଓ PSU ଜମି ବିକ୍ରିରେ ମଧ୍ୟ ଅଭିଯୋଗ
ଅଧିକ ସମ୍ବେଦନଶୀଳ କଥା ହେଉଛି, ଯେ, ସରକାରୀ ସଂସ୍ଥା ଅଧୀନରେ ଥିବା ମୂଲ୍ୟବାନ ଜମିକୁ ବିନା ଅନୁମତିରେ ରେଜିଷ୍ଟ୍ରେସନ କରାଯାଇଥିବା ଦାବି ହେଉଛି। ଭାସ୍କର ସୂତାକଳ ଭଳି ରାଜ୍ୟ ଟେକ୍ସଟାଇଲ ଅଧୀନରେ ଥିବା ସରକାରୀ ସଂସ୍ଥା ର ଜମି ବିକ୍ରି ମାମଲାରେ କୌଣସି ନୋଟିସ୍ ଜାରି ନ କରି ରେଜିଷ୍ଟ୍ରେସନ ହେବା ଘଟଣାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।
ମୂଲ୍ୟ ହେରାଫେରି ମାଧ୍ୟମରେ ସରକାରୀ କ୍ଷତି
କେତେକ ମାମଲାରେ ଜମିର ମୂଲ୍ୟକୁ ବେଞ୍ଚମାର୍କ ମୂଲ୍ୟଠାରୁ ବହୁଗୁଣା ବଢ଼ାଇ ଦେଖାଇ ରେଜିଷ୍ଟ୍ରେସନ କରାଯାଇଥିବା ଅଭିଯୋଗ ଆସିଛି। ଏହା ମାଧ୍ୟମରେ ପରେ ସରକାରୀ ଅଧିଗ୍ରହଣ ସମୟରେ ଅସାଧୁ ଲାଭ ଉଠାଇବା ପାଇଁ ଚକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।
ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଛି ଯେ, ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ କେନ୍ଦ୍ର କରି ଏକ ବଡ଼ ଦଲାଲ ନେଟୱାର୍କ ସକ୍ରିୟ ଥିଲା। ଅନେକ ଦଲିଲରେ ସମାନ ସାକ୍ଷୀ ଓ ସଂପର୍କ ସୂଚନା ମିଳିବା ଏହି ଅଭିଯୋଗକୁ ଆହୁରି ଜୋରଦାର କରୁଛି।
ଦୁର୍ନୀତି, ପଦବୀର ଅପବ୍ୟବହାର ଓ ଗୁରୁତର ଅବହେଳା ଅଭିଯୋଗରେ ସରକାର ବିକାଶ କୁଜୁରଙ୍କୁ ନିଲମ୍ବନ କରିଛନ୍ତି। ସହିତେ, ଏହି ମାମଲାର ଗଭୀର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଅନୁସନ୍ଧାନ ଆରମ୍ଭ ହୋଇଛି।
ବଡ଼ ମାଛ କି ଆଉ ଅଛନ୍ତି?
ଏହି କାଣ୍ଡ କେବଳ ଜଣେ ଅଧିକାରୀରେ ସୀମିତ ନା ଏକ ବ୍ୟାପକ ସଂଗଠିତ ଚକ୍ରାନ୍ତର ଅଂଶ—ଏହାକୁ ନେଇ ପ୍ରଶ୍ନ ଉଠୁଛି। ତଦନ୍ତ ଏବେ ଅନ୍ୟ ସରକାରୀ ଅଧିକାରୀଙ୍କ ଭୂମିକା ଦିଗରେ ମଧ୍ୟ ଘୁଞ୍ଚିପାରେ।
ଏହି ଘଟଣା ପ୍ରଶାସନିକ ସ୍ୱଚ୍ଛତା ଉପରେ ଗଭୀର ପ୍ରଶ୍ନ ଉଠାଇଛି। ଜମି ମାଫିଆ ଓ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମିଳିତ ଚକ୍ରାନ୍ତ ଫଳରେ ସାଧାରଣ ଲୋକ ଓ ଆଦିବାସୀମାନେ କେତେ ଦୂର ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛନ୍ତି, ସେଥିପାଇଁ ସ୍ପଷ୍ଟ ଓ ଅଧିନ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି।