ଏମ୍.ସି.ଏଲରେ ସଫଳ ଭାବରେ ପାଳିତ ହେଲା ଉତ୍କଳ ଦିବସ
ଓଡ଼ିଶାର ଐତିହ୍ୟ ଓ ପରିଚୟର ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ
ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ
ସମ୍ବଲପୁର, ୦୧/୦୪: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.)ର ସମ୍ବଲପୁରସ୍ଥିତ ମୁଖ୍ୟାଳୟରେ ଓଡ଼ିଶା ରାଜ୍ଯ ଗଠନକୁ ସ୍ମରଣୀୟ କରିବା ଉଦ୍ଦେଶ୍ଯରେ ଅତ୍ୟନ୍ତ ଉତ୍ସାହ ଏବଂ ସାଂସ୍କୃତିକ ଭବ୍ୟତାର ସହ ଉତ୍କଳ ଦିବସ ପାଳନ କରାଯାଇଛି।
ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଓଡ଼ିଶାର ମହାନ ବରପୁତ୍ରମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ); ଶ୍ରୀ ଏ.କେ. ବେହୁରା, ନିର୍ଦ୍ଦେଶକ (ଅର୍ଥ); ଶ୍ରୀ ଏସ.କେ. ଝା, ନିର୍ଦ୍ଦେଶକ (ବୈଷୟିକ); ଶ୍ରୀ ପି.କେ. ପଟେଲ, ମୁଖ୍ୟ ସତର୍କତା ଅଧିକାରୀ (ସିଭିଓ) ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ଅତିଥିମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଉଦଘାଟନୀ ଅଭିଭାଷଣରେ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଏ.କେ. ବେହୁରା ଓଡ଼ିଶା ରାଜ୍ଯ ଗଠନରେ ମହାନ ସଂଗ୍ରାମୀ ମାନଙ୍କ ସମୃଦ୍ଧ ପରମ୍ପରା, ବଳିଦାନ ଏବଂ ଅକ୍ଳାନ୍ତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଐତିହ୍ୟ ଓ ପରିଚୟର ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବିଶିଷ୍ଟ ଶିଳ୍ପୀ ପ୍ରଫେସର ଅଦ୍ୱୈତ ଗଡ଼ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ମହାନ ସନ୍ତାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ରାଜ୍ୟର କଳା, ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧି ଉପରେ ନିଜର ବିଚାର ବ୍ୟକ୍ତ କରିଥିଲେ ଏବଂ ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟକୁ ବିଶ୍ୱ ମଞ୍ଚରେ ଆଗକୁ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ୍ ମହାନ୍ତି ଓ ତାଙ୍କ ଦଳ ନିଜର ଚମତ୍କାର ଓଡ଼ିଶୀ ନୃତ୍ୟ ଦ୍ୱାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହା ପରେ ଗୁରୁ ଆଲୋକ ପଣ୍ଡା ଏବଂ ତାଙ୍କ ଦଳ ଦ୍ୱାରା ଉପସ୍ଥାପିତ ସମ୍ବଲପୁରୀ ନୃତ୍ୟ ପଶ୍ଚିମ ଓଡ଼ିଶାର ରଙ୍ଗୀନ ଲୋକ ପରମ୍ପରାକୁ ଜୀବନ୍ତ କରିଥିଲା |
ଏମ୍.ସି.ଏଲର ନିର୍ଦ୍ଦେଶକ, ମୁଖ୍ୟ ସତର୍କତା ଅଧିକାରୀ, ପୂର୍ବତନ ସିଏମଡି, ସଂଘର ପ୍ରତିନିଧି, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ, ଯାହା ଏକତା ଏବଂ ସାଂସ୍କୃତିକ ଗୌରବର ଭାବନାକୁ ପ୍ରତିଫଳିତ କରିଥିଲା।