ଭୁବନେଶ୍ୱର, ୦୨/୦୪: ସଂସ୍ଥା(ସିଫା)ର ୩୯ତମ ବାର୍ଷିକ ଉତ୍ସବ ଆଜି କୌଶଲ୍ୟାଗଂଗସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଦେଶର ପ୍ରମୁଖ ମଧୁର ଜଳଜୀବ ପାଳନ ସଂସ୍ଥା ଭାବରେ ଏପ୍ରିଲ ୧, ୧୯୮୭ ମସିହା ଠାରୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନରେ ଏହା କାର୍ଯ୍ୟ କରିଆସୁଅଛି । ବୈଜ୍ଞାନିକ ମାନଙ୍କର ନୂତନ ଉଦ୍ଭାବନକୁ ଗ୍ରାମ୍ୟ ବିକାଶ ସହିତ ଯୋଡ଼ିବାରେ ସିଫାର ନିରନ୍ତର ପ୍ରତିବଦ୍ଧତାକୁ ଆଜିର ଉତ୍ସବ ପ୍ରତିଫଳିତ କରିଥିଲା । ସେଂଟ୍ରାଲ ୟୁନିଭରସିଟି, ତାମିଲନାଡୁର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଏ. ପି. ଦାଶ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେ । ସେ ସିଫାର ୩୯ତମ ବାର୍ଷିକ ଦିବସର ଅଭିନନ୍ଦନ ଜଣାଇବା ସହ ସଂସ୍ଥାନର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଗବେଷଣା, ପ୍ରକାଶନ ଓ ପେଟେଂଟ୍ର ଅଗ୍ରଗତି ସହ ସିଫା ଏହାକୁ ସମାଜର ତୃଣମୂଳ ସ୍ତରରେ ପହଂଚାଇବାରେ ସଫଳ ହୋଇଛି । ଅବହେଳିତ ବର୍ଗଙ୍କ କ୍ଷମତାବୃଦ୍ଧି, ଉଦ୍ୟମତା ପୋତ୍ସାହନ ଏବଂ ଲିଙ୍ଗଗତ ସମାନତା ଉଦ୍ୟମକୁ ସେ ବିଶେଷ ଭାବରେ ପ୍ରଶଂସା କରିଥିଲେ । ଆଇସିଏଆର୍ ମତ୍ସବିଜ୍ଞାନ ଓ କୃଷି ଶିକ୍ଷା ବିଭାଗ ଉପମହାନିର୍ଦ୍ଦେଶକ ଡ. ଜେ. କେ. ଜେନା କର୍ମଚାରୀମାନଙ୍କୁ ଆହ୍ୱାନ କରି କହିଥିଲେ ଯେ ସଂସ୍ଥାର ଜନ୍ମଦିନରେ ସମସ୍ତେ ନିଜର ଅବଦାନ ବିଷୟରେ ଚିନ୍ତନ କରିବା ଉଚିତ । ସେ କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତକୁ ୩୪ ମିଲିୟନ ଟନ୍ ମାଛ ଉତ୍ପାଦନ କରିବାକୁ ପଡ଼ିବ । ସେଥିରୁ ୨୫ ମିଲିୟନ ଟନ୍ ମଧୁରଜଳ ପୋଖରୀରୁ ଆସିବା ଦରକାର । ସମସ୍ୟାଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଓକାକ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ କୁମାର ରାଉତ ବାର୍ଷିକ ଦିବସରେ ପୂର୍ବତନ କର୍ମଚାରୀଙ୍କ ଅବଦାନକୁ ସ୍ମରଣ କରିବାର ଅବସର ବୋଲି କହିଥିଲେ । ସିଫା ଓ ଓକାକ୍ର ମିଳିତ ପ୍ରୟାସରେ ଜଳକୃଷି କ୍ଷେତ୍ରରେ ଏଆଇ ର ବ୍ୟବହାର କରି ଆବଶ୍ୟକୀୟ ତତ୍କାଳ କୃଷି ଉପଦେଶ, ସମ୍ଭାବ୍ୟ ରୋଗର ପୂର୍ବାନୁମାନ ଓ ଜଳର ମାନ ନିରୂପଣ ଇତ୍ୟାଦି ସମ୍ଭବ ହେବ ବୋଲି ସେ କହିଥିଲେ । ପ୍ରାରମ୍ଭରେ ସିଫାର ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ସ୍ୱାଗତ କରି ବିଗତ ୩୯ବର୍ଷ ମଧ୍ୟରେ ସିଫାର ସଫଳତା ସଂପର୍କରେ ଆଲୋକପତ କରିଥିଲେ । ଏହି ଅବସରରେ ସେ ଉନ୍ନତ ପ୍ରଜାତିର ମାଛ ଯଥା ଜୟନ୍ତୀରୋହୀ, ଅମୃତ କାଟ୍ଲା, ସିଫା ଜିଆଇ-ସ୍କାଂପି, ବାୟୋଫ୍ଲକ, ଆର୍ଏଏସ୍ ଓ ଆକ୍ୱାପୋନିକ ମାଧ୍ୟମରେ ଜଳବାୟୁ ଅନୁକୂଳ ଜଳଜୀବ ପାଳନ, ଉଚ୍ଚମୂଲ୍ୟର ମତ୍ସ୍ୟ ପ୍ରଜାତିର ବିବିଧତା ଏବଂ ନଦୀରେ ଦୁର୍ଲଭ ମାଛ ଗୁଡ଼ିକର ସୁରକ୍ଷା ପାଇଁ ସିଫା ତରଫରୁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିଥିମାନେ ୮ଟି ପ୍ରକାଶନ ଓ ଦୁଇଟି ପ୍ରୋଟୋଟାଇପ୍ ଉନ୍ମୋଚନ କରିବା ସହିତ ୨୦୨୫ ବର୍ଷ ପାଇଁ ଶ୍ରୀମତୀ ସୁଶୀଲାମା, ଡ. ଗିରିଶ ଚନ୍ଦ୍ର ଚୌଧୁରୀ, ଡ. ଟି. ରାମାପ୍ରଭୁ ଏବଂ ଡ. ବି. ଆର. ମହାନ୍ତି ସ୍ମୃତି ପୁରସ୍କାର କୃତି ପ୍ରତିଯୋଗୀମାନଙ୍କୁ ପ୍ରଦାନ କରିଥିଲେ । ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବିଭିନ୍ନ ଅନୁଷ୍ଠାନ, ଓଡିଶା କୃଷି ବିଶ୍ୱବିଦ୍ୟାଳୟ, ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ପ୍ରତିନିଧି ଏବଂ ସିଫାର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦାନ କରିଥିଲେ । ଶେଷରେ ଏଫ୍ଜିବିଡିର ବିଭାଗୀୟ ମୁଖ୍ୟ ଡ. ଜେ. କେ. ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post