ସେଲ୍ଫ ଏନୁମରେସନ୍ କଲେ ମୁଖ୍ୟମନ୍ତ୍ରୀ
ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ସେଲ୍ଫ ଏନୁମରେସନ୍ ପୋର୍ଟାଲରେ ତଥ୍ୟ ଦେବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର, ୦୩/୦୪: ଜାତୀୟ ଜନଗଣନା ଆରମ୍ଭ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେ ସେଲ୍ଫ ଏନୁମରେସନ୍ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ନିଜର ତଥ୍ୟ ଦେବାକୁ ଓ ଜନଗଣନାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ଏହି କାର୍ଯ୍ୟକ୍ରମରେ, ଏପ୍ରିଲ୍ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି ।
ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି।
ଆପଣମାନଙ୍କୁ ଅନୁରୋଧ, ଆପଣ ଯଦି ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି, ତେବେ ଏହି ପୋର୍ଟାଲରେ ନିଜର ତଥ୍ୟ ଦିଅନ୍ତୁ ଏବଂ ଜନ ଗଣନାରେ ସହଯୋଗ କରନ୍ତୁ। ମୁଁ ବି ସେଲ୍ଫ ଏନୁମରେସନ୍ କରିଛି। ଆପଣ ବି କରନ୍ତୁ।
ଏପ୍ରିଲ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀ ମାନେ ଘର-ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହି ତଥ୍ୟ ଆମ ରାଜ୍ୟ ତଥା ଦେଶର ଯୋଜନା ପ୍ରଣୟନ ଓ କାର୍ଯ୍ୟାନ୍ଵୟନ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତେଣୁ, ଏହି ତଥ୍ୟ ପ୍ରଦାନ ନିମନ୍ତେ ଆପଣମାନେ ସମସ୍ତେ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ | ଆମ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି।
ଗଣନାକାରୀ ଆପଣଙ୍କ ଘରକୁ ଯେଉଁ ସମୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଯିବେ, ତାଙ୍କୁ ସଠିକ ତଥ୍ୟ ପ୍ରଦାନ କରି, ଆମ ରାଜ୍ୟ ତଥା ଦେଶର ବିକାଶରେ ସହାୟତା କରନ୍ତୁ ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆପଣମାନଙ୍କ ଆନ୍ତରିକ ଯୋଗଦାନ ନିମନ୍ତେ ମୁଁ ଅନୁରୋଧ କରୁଛି।