ଅଟା-ଡାଲି ପରେ ଏବେ ମହଙ୍ଗା ହେବ ଆଳୁ ଓ ଟମାଟର!

ନୂଆଦିଲ୍ଲୀ ୨୮।୧୦: ମୂଲ୍ୟବୃଦ୍ଧି ସାରା ଦେଶକୁ ତ୍ରସ୍ତ କରି ରଖିଛି। ରୋଷେଇ ଲାଗି ଆବଶ୍ୟକ ସବୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦର ଆକାଶ ଛୁଉଁଛି। ପିଆଜ ଓ ଟମାଟର ଦର ଇତିମଧ୍ୟରେ ରେକର୍ଡ ସ୍ତରକୁ ପହଞ୍ଚିଛି। ଏଥିରେ ଏବେ ଯେଉଁ ଖବର ଆସୁଛି ଏହା ଚାଷୀଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ସମସ୍ୟାରେ ପକାଇବ। କୁହାଯାଉଛି ଟମାଟର ଉତ୍ପାଦନ ୪ ପ୍ରତିଶତ ଓ ଆଳୁ ଉତ୍ପାଦନ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଫଳରେ ବଜାରରେ  ଏହି ପରିବାର ମୂଲ୍ୟ ବୃଦ୍ଧି ଏବେ ସ୍ଥାୟୀ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ପନିପରିବାରେ ଆଳୁ, ଟମାଟର ଓ ପିଆଜକୁ ରୋଷେଇର ସବୁଠୁ ଜରୁରୀ ଆବଶ୍ୟକତା ମନେ କରାଯାଏ। ଏହି ପନିପରିବା ଦରରେ ସାମାନ୍ୟ ଅଦଳବଦଳ ମଧ୍ୟ ରୋଷେଇ ଘରର ବଜେଟ ବିଗାଡି ଦିଏ। ହେଲେ ଏବେ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଏଥିରେ ଏହି ସବୁ ସାମଗ୍ରୀ କିଣିବା ପାଇଁ ଜନତାଙ୍କ ପକେଟ୍ ଢିଲା କରିବାକୁ ପଡିବ ବୋଲି କୁହାଯାଉଛି।  କେନ୍ଦ୍ର କୃଷିମନ୍ତ୍ରାଳୟ ଚଳିତବର୍ଷ ଟମାଟର ଉତ୍ପାଦନ ୪ ପ୍ରତିଶତ ହ୍ରାସ ହେବ ବୋଲି ଆକଳନ କରିଛନ୍ତି।