ତେଜିଲା ମେଟ୍ରୋ ରାଜନୀତି: ସସ୍ମିତଙ୍କ ପରେ ଅପରାଜିତାଙ୍କ ପୁନଃବିଚାର ଦାବି
ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର, ୧୦/୦୪: ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ଅପରାଜିତା ଚିଠି ଲେଖିଛନ୍ତି। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପୁନଃବିଚାର କରିବାକୁ ଉଲ୍ଲେଖ କରିଛନ୍ତି। କିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ହିତ ପାଇଁ କରାଯାଏ ବୋଲି ଲେଖିଛନ୍ତି। ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସାଂସଦ ସସ୍ମିତ ପାତ୍ର
ସାଂସଦ ଷଡ଼ଙ୍ଗୀ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ଆଧୁନିକ ସହରୀ ପରିବହନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ମେଟ୍ରୋ ପ୍ରକଳ୍ପ ବନ୍ଦ କରିବା ନିଷ୍ପତ୍ତି ପ୍ରତି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସହରର ବଢ଼ୁଥିବା ଜନସଂଖ୍ୟା, ଯାତାୟାତ ସମସ୍ୟା ଏବଂ ଭବିଷ୍ୟତର ଉନ୍ନତି ପାଇଁ ମେଟ୍ରୋ ଜରୁରୀ ବୋଲି କହିଛନ୍ତି। ପୂର୍ବରୁ ପ୍ରକଳ୍ପ ଆରମ୍ଭ ହୋଇଥିଲା। ତେଣୁ ଏହାକୁ ପୁନର୍ବିଚାର କରି ଆଗକୁ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି।
ଏହା ପୂର୍ବରୁ ୨୦୨୨ ମସିହାରେ ଅପରାଜିତା ଷଡ଼ଙ୍ଗୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏକ ଚିଠି ଲେଖି ଭୁବନେଶ୍ୱର-କଟକ ମଧ୍ୟରେ ଏକୀକୃତ ମେଟ୍ରୋ ରେଳ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଥିଲେ। ସେତେବେଳେ ସେ କହିଥିଲେ ଯେ ଦୁଇ ସହରର ଜନସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବା ଯୋଗୁଁ ମେଟ୍ରୋ ଦରକାର। ସାମ୍ପ୍ରତିକ ଚିଠିରେ ସେ ବିଜେପି ସରକାରଙ୍କୁ ପ୍ରକଳ୍ପକୁ ପୁନର୍ବିଚାର କରି ସ୍ଥାୟୀ ଭାବେ ଆଗକୁ ବଢ଼ାଇବା ପାଇଁ କହିଛନ୍ତି।
ଏହା ସହରର ଯାତାୟାତ ସମସ୍ୟା ସମାଧାନ କରିବ ଏବଂ ଆର୍ଥିକ ଉନ୍ନତିରେ ସାହାଯ୍ୟ କରିବ ବୋଲି ତାଙ୍କର ମତ।
