ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

ଏଯାଏଁ ୪୬୯୧ ସିଲିଣ୍ଡର ଜବତ

ଭୁବନେଶ୍ୱର, ୧୦/୦୪: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି । ଏହି ଟିମ ଗୁଡିକ ଦୈନିକ ଭାବେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ତତ୍ତ୍ଵବଧାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରୁଛନ୍ତି ।

ଏ ଦିଗରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୨୧୩୬ଟି ସ୍ଥାନରେ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ଗ୍ୟାସ ଏଜେନ୍ସି ଓ ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୪୬୯୧ ସିଲିଣ୍ଡର ଜବତ କରାଯାଇଛି । ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ବିଭିନ୍ନ ଜିଲ୍ଲାପାଳଙ୍କ କୋର୍ଟରେ ୩୬୦ ମାମଲା ରୁଜୁ କରାଯିବା ସହ ବିଭିନ୍ନ ଥାନାରେ ୩୧ଟି ଏଫଆଇଆର ଦାଖଲ କରାଯାଇଛି। ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।