ନୋଏଡା, ୧୩/୦୪: ନୋଏଡାରେ ବିଭିନ୍ନ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବୃଦ୍ଧି ଆନ୍ଦୋଳନ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଛି। କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ଗତ କାଲିର ଏହି ହିଂସାତ୍ମକ ଘଟଣାରେ ଏପର୍ଯ୍ୟନ୍ତ ୩୫୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ସମସ୍ତଙ୍କୁ ଜେଲ ପଠାଯାଇଛି। ଅନେକ ଦଙ୍ଗାକାରୀଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ପୋଲିସ ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ଆଜି ମଧ୍ୟ ନୋଏଡା ଜିଲ୍ଲାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି। କର୍ମଚାରୀଙ୍କ ଦରମା ୩୦୦୦ ହଜାର ଟଙ୍କା ବଢାଯାଇଥିଲେ ମଧ୍ୟ କାରଖାନା କର୍ମଚାରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏକ ପୋଲିସ ବସ୍ ରେ ନିଆଁ ଲଗାଇ ଦେଇଛନ୍ତି। ଯେଉଁଥିରେ ମହିଳା ପୋଲିସ ଥିଲେ। କିଛି ମହିଳା ପୋଲିସ ଆହତ ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ସମଗ୍ର ଏନସିଆରରେ ହାଇ ଆଲର୍ଟ ଜାରି କରିଛି।
ନୋଏଡା ଫେଜ୍ ୨ ରେ ଥିବା ଲକ୍ସର କମ୍ପାନୀ ବାହାରେ ସକାଳ ଠାରୁ ଶ୍ରମିକମାନେ ପ୍ରତିବାଦ କରୁଛନ୍ତି। ପୋଲିସ ସେମାନଙ୍କୁ ବୁଝାଉଛି ଯେ ସେମାନଙ୍କର ଦାବି ପୂରଣ ହୋଇଛି। ତଥାପି, ଶ୍ରମିକମାନେ କହୁଛନ୍ତି ଯେ ୧୨ ଘଣ୍ଟା କାମକୁ ୧୧ ହଜାର ଟଙ୍କା ଦରମା ସହିତ ସେମାନେ କିପରି ନିଜ ପରିବାର ଚଳାଇବେ? ସେମାନେ ୨୦ ହଜାର ଟଙ୍କା ଦରମା ବୃଦ୍ଧି ଦାବି କରୁଛନ୍ତି।
ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ନୋଏଡାରେ ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟାଇଲେ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସରକାରୀ ସମ୍ପତ୍ତିର କ୍ଷତି ପାଇଁ କ୍ଷତିପୂରଣ ଆଦାୟ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ନୋଏଡା ଦଙ୍ଗା ପରେ, ଉତ୍ତର ପ୍ରଦେଶ ସରକାର ସମସ୍ତ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି ଏବଂ ସଂଶୋଧିତ ହାରଗୁଡ଼ିକ ଏପ୍ରିଲ ୧ ରୁ ପିଛିଲା ଭାବରେ ଲାଗୁ କରାଯାଇଛି।