ନୂଆଦିଲ୍ଲୀ, ୧୭/୦୪: ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ପୁଣି ନିର୍ବାଚିତ ହୋଇଛନ୍ତି। ତୃତୀୟ ଥର ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ। ଏଥର ହରିବଂଶଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି।
ଏ ନେଇ ହରିବଂଶ ନାରାୟଣ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପାର୍ଲାମେଣ୍ଟରେ ତାଙ୍କର ଭୂମିକା ଗଣତନ୍ତ୍ରକୁ ମଜବୁତ୍ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ହରିବଂଶଙ୍କର ପୂର୍ବ କାର୍ଯ୍ୟକାଳ ୯ ଏପ୍ରିଲ୍ ୨୦୨୬ ରେ ଶେଷ ହେବା ପରେ, ସେ ୧୦ ଏପ୍ରିଲ୍ ୨୦୨୬ ରେ ରାଜ୍ୟସଭାରେ ମନୋନୀତ ସାଂସଦ (ଏମ୍ ପି) ଭାବରେ ଶପଥ ନେଇଥିଲେ।
ହରିବଂଶ ନାରାୟଣ ସିଂହ ପୂର୍ବରୁ ୨୦୧୮ ରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୨୦ରେ ପୁଣି ନିର୍ବାଚିତ ହୋଇ ୯ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ରାଜ୍ୟସଭାର ୧୩ତମ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।
ସେ ୨୦୧୪ରେ ଜେଡି(ୟୁ) ଦ୍ୱାରା ବିହାରରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେ ପୂର୍ବରୁ ୨୫ ବର୍ଷରୁ ଅଧିକ ସମୟ ପାଇଁ ହିନ୍ଦୀ ଦୈନିକ ଖବର କାଗଜ ପ୍ରଭାତ ଖବରର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।