ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା

ଭବିଷ୍ୟତ ସମ୍ପର୍କରେ ଆଲୋଚନା କଲେ ସୋଆ କୁଳପତି

ଭୁବନେଶ୍ୱର, ୧୭/୦୪: ସିବିଏସ୍‌ଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବା ୨ଜଣ କୃତୀ ଛାତ୍ରୀଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଭୟ ଛାତ୍ରୀ- ପୁରୀ ମଦର୍ସ ପବ୍ଲିକ ସ୍କୁଲର ଟିନା ରଥ ଓ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଆଲିଶା ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।

ଉଭୟ ଛାତ୍ରୀ ପରୀକ୍ଷାରେ ୫୦୦ ରୁ ୫୦୦ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି ।

ସେମାନେ କିଭଳି ଭାବରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଓ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ କ’ଣ ସେ ନେଇ କୁଳପତି ଉଭୟ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସଫଳତାକୁ ନେଇ ଭବିଷ୍ୟତରେ ସେମାନେ କିଭଳି ଆଗକୁ ବଢ଼ିବେ ସେ ସମ୍ପର୍କରେ କୁଳପତି ପ୍ରଫେସର ନନ୍ଦ ମଧ୍ୟ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

ଟିନା ଭଲ ପାଠ ପଢ଼ିବା ସହ ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ବେଶ୍ ପାରଙ୍ଗମ । ସେହିପରି ସେ ମଧ୍ୟ ଜଣେ ଭଲ ଚିତ୍ରଶିଳ୍ପୀ । ଭବିଷ୍ୟତରେ ଟିନା ଜଣେ ହୃଦରୋଗ ବିଶେଷଜ୍ଞ ହେବାର ଲକ୍ଷ୍ୟ ରଖିଛନ୍ତି । ସେ ଦିନକୁ ୫ରୁ ୬ ଘଂଟା ପାଠ ପଢ଼ୁଥିଲେ ବୋଲି କହିଛନ୍ତି ।

ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ଆଲିଶା ବିଶ୍ୱାଳ କହିଥିଲେ ଯେ ଲକ୍ଷ୍ୟ ହାସଲ ପାଇଁ ପାଠ ପଢ଼ାର ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ଆବଶ୍ୟକ । ଦିନକୁ ୩/୪ ଘଂଟା ପଢ଼ିବା ଓ ଲେଖିବା ଅଭ୍ୟାସ ସହ ସମୟ ପରିଚାଳନା ପାଇଁ ସ୍ୱତନ୍ତ୍ର ରୋଡ ମ୍ୟାପ କରିଥିବାରୁ ତାଙ୍କୁ ସଫଳତା ମିଳିପାରିଛି ବୋଲି ସେ କହିଛନ୍ତି । ଭବିଷ୍ୟତରେ ସେ ମଧ୍ୟ ଜଣେ ଡାକ୍ତର (ନ୍ୟୁରୋଲୋଜିଷ୍ଟ) ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ ।

ଏହି ଅବସରରେ ଟିନାଙ୍କ ବାପା ଶ୍ରୀ ସମୀର କୁମାର ରଥ ଓ ମା ଶ୍ରୀମତି ରେଣୁ ପ୍ରଭା ଦାସ ଓ ଆଲିଶାଙ୍କ ବାପା ଶ୍ରୀ ସୁଦର୍ଶନ ବିଶ୍ୱାଳ ଓ ମା ଶ୍ରୀମତି ସୌଦାମିନୀ ମଲ୍ଲିକ୍‌ଙ୍କ ସହ ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଶ୍ରୀ ସୁନୀଲ ଦାସ ଓ ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ ଉପସ୍ଥିତ ଥିଲେ ।