ରାଉରକେଲା, ୨୧/୦୪: ଦିନିକିଆ ରାଉରକେଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଉରକେଲାରେ ମୋଟ୍ ୧୫୮ କୋଟିର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଦିବାସୀ ସଂଗ୍ରହାଳୟ ଓ କୋଏଲନଗରରେ ମନୋରଞ୍ଜନ ଓ ବିଜ୍ଞାନ ପାର୍କର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ନୃତ୍ୟ ପରିବେଷଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ରାଷ୍ଟ୍ରପତି। ଅଭିଭାଷଣ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଓଡ଼ିଶା କଳାର ଭୂମି ଭାବେ ବିଶ୍ବରେ ପ୍ରସିଦ୍ଧ। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି।
ନିର୍ମଳ ମୁଣ୍ଡାଙ୍କ ସହ ସମସ୍ତ ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ରାଷ୍ଟ୍ରପତି କହିଛନ୍ତି, ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ପରିଚିତ। ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି କରିଛି। ଏହା ଆମ୍କୋ ସିମ୍କୋ ବିଦ୍ରୋହ ଭାବରେ ଜଣାଶୁଣା ରହିଛି। ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି।
ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି। ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ। ସବୁ ବର୍ଗର ବିକାଶ ଦ୍ବାରା ହିଁ ଦେଶର ବିକାଶ ହୋଇପାରିବ। ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇକି ଯିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ।
ମହିଳାଙ୍କ ବିକାଶ ଉପରେ ଗରୁତ୍ବାରୋପ କରି ରାଷ୍ଟ୍ରପତି କହିଛନ୍ତି, ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବନି। ଓଡ଼ିଶାରେ କାର୍ଯ୍ୟ କରୁଥିବା ସୁଭଦ୍ରା ଯୋଜନା ମହିଳାଙ୍କୁ ଆଗକୁ ନେବ।