ବର୍ଷିଲେ ନବୀନ: ମୁଁ ଥିବା ଯାଏଁ ଓଡ଼ିଶାବାସୀ ହକ୍‌ରୁ ବଞ୍ଚିତ ହେବେନି

ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୩୦/୦୪: କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା। ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁଷ୍ଠିତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ପ୍ରଶ୍ନ କରିଛନ୍ତି ନବୀନ। ନବୀନ କହିଛନ୍ତି, ଡବଲ୍‌ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ଓଡ଼ିଶାରେ ମହିଳା ଅସୁରକ୍ଷିତ ବୋଲି କହିଥିଲା ଆମେରିକା। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି। ସୀମା ନିର୍ଦ୍ଧାରଣ ବିଲ୍‌ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ। ମୁଁ ଥିବା ଯାଏଁ ଓଡ଼ିଶାବାସୀ ହକ୍‌ରୁ ବଞ୍ଚିତ ହେବେ ନାହିଁ। ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ବିଧାୟକ ବୋଲି ନବୀନ କହିଛନ୍ତି।

ଗୃହରେ ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ। ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା, ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି। କଂଗ୍ରେସ ୪୦ ବର୍ଷ ଧରି ଶାସନରେ ଥିଲେ, ମହିଳାଙ୍କ ପାଇଁ କିଛି କଲେନି। କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳା ଆଗକୁ ବଢ଼ୁ, ସେହି ଚିନ୍ତା କରୁଛି ବୋଲି ପ୍ରଭାତୀ କହିଛନ୍ତି।