‘ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି’

ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୦୪: ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ବର୍ଷିଲେ ବିରୋଧୀ ଦଳ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲ୍‌କୁ ପାସ କରି ନଥିଲା।

ବିଜେଡି ବି ପଞ୍ଚାୟତସ୍ତରରେ ମହିଳାଙ୍କ ସଂରକ୍ଷଣ କଥା କହି ବାଃ ବାଃ ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛଘୁଞ୍ଚା କାହିଁକି। ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ପଣ୍ଡାଙ୍କର ସଂରକ୍ଷଣ ଅଧିକାର କ୍ଷୁଣ୍ଣ ହୁଏନି।

ରାଷ୍ଟ୍ରପତି, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ଶକ୍ତି ବନ୍ଦନର ଆବଶ୍ୟକତା ଅଛି; ବିରୋଧୀ ଏଥିରେ ବ୍ରେକ ଲଗାଇଛନ୍ତି।‌ଏହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତା ଚିଠି ଲେଖି ଉତ୍ତର ମାଗିଥିଲେ; ତାଙ୍କ ଆଶଙ୍କା ନିରର୍ଥକ। ବିଲ ପାରିତ ହୋଇଥିଲେ ଓଡ଼ିଶା ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। ବିରୋଧୀ ମତାମତ ଦିଅନ୍ତୁ, ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।