୩୨ ମିନିଟରେ ୪ ଥର‌ ବ୍ୟାଙ୍କ କର୍ମଚାରୀଙ୍କୁ ଭେଟିଛନ୍ତି ଜିତୁ ମୁଣ୍ଡା: ସିସିଟିଭିରୁ ମିଳିଲା ସବୁ ପ୍ରମାଣ

ଜିତୁଙ୍କୁ ଅଯଥା ଖର୍ଚ୍ଚାନ୍ତ କରାହୋଇଛି, ପୋଲିସର ବି ଭୁଲ ରହିଛି: RDC

କେନ୍ଦୁଝର, ୩୦/୦୪: ମାଟି ଖୋଳି ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣାରେ RDC ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି RDC।

RDC କହିଛନ୍ତି, ପ୍ରାଥମିକସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି। ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି। ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି। ଜିତୁ ମୁଣ୍ଡା ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ। ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି। ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି। ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି

ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିହ୍ନିଛନ୍ତି। ଦୁଇ ଭାଇ ଓ ଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି।

ଜିତୁ ମୁଣ୍ଡାଙ୍କୁ ଭଉଣୀର ମୃତ୍ୟ ପ୍ରମାଣ ପତ୍ର ମିଳିବାରେ ବି ବିଳମ୍ବ ହୋଇଛି। ଗୁରୁବାରୀ ମୁଣ୍ଡା ମୃତ କଲରା ମୁଣ୍ଡାଙ୍କ ପାଇଁ ଆବେଦନ କରିଛନ୍ତି। ଜାନୁଆରୀରେ ମୃତ୍ୟୁ, ଫେବ୍ରୁଆରୀରେ ପଞ୍ଜୀକରଣ ହୋଇଛି। ପୁଣି ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ଆଫିଡାବିଟ୍‌ ଦିଆଯାଇଛି। ଆଫିଡାବିଟ୍‌ ଦରକାର ନ ଥିଲା ବେଳେ କିଏ ତାଙ୍କୁ ଖର୍ଚ୍ଚାନ୍ତ କରାଇଲା।

ଆବେଦନ ଅନୁସାରେ ଏପ୍ରିଲ ୪ ସୁଦ୍ଧା ମୃତ୍ୟୁ ପ୍ରମାଣପତ୍ର ମିଳିବା କଥା। ତେଣୁ ଅବହେଳା ହୋଇଥିବା ସ୍ପଷ୍ଟ, ସରକାର କାର୍ଯ୍ୟାନୁଷ୍ଠାନ ନେବେ। ଫେବ୍ରୁଆରୀରେ କଲରା ମୁଣ୍ଡାଙ୍କ ମୃତ୍ୟୁ ସତ୍ତ୍ବେ କାହିଁକି ସାର୍ଟିଫିକେଟ୍‌ ମିଳିନଥିଲା ବୋଲି ପ୍ରଶ୍ନ କରିଛନ୍ତି RDC।

ଏପରିକି ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଭୁଲ। ଯାହା ଘଟିଲା ଅତ୍ୟନ୍ତ ଲଜ୍ଜାଜନକ।