ବିଜେବି କଲେଜରେ ରକ୍ତର ହୋଲି: ବିଜେଡି

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ

ଡବଲ ଇଂଜିନ ସରକାରରେ ଶିକ୍ଷାନୁଷ୍ଠାନ ଗୁଡିକ ଅସୁରକ୍ଷିତ

ଭୁବନେଶ୍ୱର, ୩୦/୦୪: ଆଜି ବିଜେବି କଲେଜ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ୟବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ ୩୦ରୁ ଅଧିକ ଦୁବୃର୍ତ୍ତ ଚାମ୍ବରରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ । ଯାହାକୁ ବିଜୁ ଛାତ୍ର ଜନତା ଦଳ କଡା ନିନ୍ଦା କରିଛି । ଏହା ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧ୍ୱଂସ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ଦର୍ଶାଉଛି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍‌ସିତା ସାହୁ ଏହି ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି । ଦିନକୁ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଧ୍ୱଂସ ହେବା ସହିତ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଯେଉଁ ଦିନଠାରୁ ବିଜେପି ରାଜ୍ୟର ଶାସନ ଭାର ଗ୍ରହଣ କରିଛି, କୌଣସି ଶିକ୍ଷାନୁଷ୍ଠାନ ସୁରକ୍ଷିତ ନାହିଁ । ଆଜି ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ପ୍ରିନ୍ସପାଲଙ୍କ ଚାମ୍ବରରେ ଆଲୋଚନା ଚାଲିଥିଲା ବେଳେ ହଠାତ ୩୦ରୁ ଅଧିକ ଦୁବୃର୍ତ୍ତ ପଶି ଆସି ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣା ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟକୁ ରକ୍ତରଞ୍ଜିତ କରିଥିଲା । ଦୁଇ ଆଇନଜୀବୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । ସେ ଦୁହେଁ ହେଲେ ଯୋଗେଶ ଜେନା ଓ ସମିମ୍ ଅଖତାର । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଜେବି କଲେଜ ଭଳି ଏକ ପ୍ରତିଷ୍ଠିତ କଲେଜର ଅବସ୍ଥା ଯଦି ଏହା, ତାହେଲେ ରାଜ୍ୟର ଅନ୍ୟ ସାଧାରଣ କଲେଜର ସ୍ଥିତି କ’ଣ ହୋଇଥିବ । ବିଜେପି ସରକାର ଶାସନକୁ ଆସିଲେ, ତାଙ୍କ ନିର୍ବାଚନୀ ଇସ୍ତାହାରରେ କହିଥିଲେ ଯେ, ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ସହ ଛାତ୍ର ସଂସଦ ନିର୍ବାଚନ କରିବେ । କିନ୍ତୁ ଦୁଇ ବର୍ଷ ବିତିବାକୁ ବସିଲାଣି, ଡବଲ ଇଂଜିନ ସରକାର ଛାତ୍ର ସଂସଦ ନିର୍ବାଚନ କରିପାରିଲା ନାହିଁ । ଏଥିରୁ ଜଣାପଡୁଛି ଡବଲ ଇଂଜିନ ସରକାରର ପାରିବା ପଣିଆ କ’ଣ । ରାଜ୍ୟର ଶିକ୍ଷାର ବାତାବରଣ ଧ୍ୱଂସ ଆଡକୁ ଗତି କରୁଥିଲା ବେଳେ ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ, ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଯାହା ଏକ ବିଡମ୍ବନା । ବିଜୁ ଜନତା ଦଳ ସବୁବେଳେ ଛାତ୍ରମାନଙ୍କ ସହିତ ରହିଛି । ଆଗାମୀ ଦିନମାନଙ୍କରେ ଶିକ୍ଷାନୁଷ୍ଠାନଗୁଡିକର ଶୈକ୍ଷିକ ବାତାବରଣ ସୁରକ୍ଷିତ ନରହିଲେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଇପସିତା ସାହୁ କହିଛନ୍ତି ।