ବେଙ୍ଗାଲୁରୁ ଚାଣକ୍ୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଚାଣକ୍ୟ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡେମିକ୍ ବ୍ଲକ ଓ ଡକ୍ଟର କେ. କସ୍ତୁରୀରଙ୍ଗନ ଅଡିଟୋରିୟମ ଏବଂ ସାଟେଲାଇଟ ଗ୍ରାଉଣ୍ଡ ଷ୍ଟେସନ ଉଦଘାଟିତ । ବେଟ୍ଟାକୋଟେ ସ୍ଥିତ ସ୍ପର୍ଶ ଟ୍ରଷ୍ଟର 'ମକ୍କାଲା ଧାମ' କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ । ନୃସିଂହ ଜୟନ୍ତୀ ଅବସରରେ ମଲ୍ଲେଶ୍ୱରମ ସ୍ଥିତ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ମଧ୍ୟ କଲେ ଦର୍ଶନ ।

ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶର ପ୍ରତିଫଳନ ହେବା ଉଚିତ୍: ଧର୍ମେନ୍ଦ୍ର ପ୍ରଧାନ

ବେଙ୍ଗାଲୁରୁ, ୩୦/୦୪: ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାଦାନ କେନ୍ଦ୍ର ନ ହୋଇ ମାନବ ସମ୍ବଳର ବିକାଶ ଓ ଜାତୀୟ ସଂକଳ୍ପର ପ୍ରତିଫଳନ ହେବା ଉଚିତ ବୋଲି ଆଜି ବେଙ୍ଗାଲୁରୁର ଚାଣକ୍ୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଏସ. ସୋମନାଥଙ୍କ ଉପସ୍ଥିତିରେ ‘ସୁଧା ଏବଂ କ୍ରିସ୍ ଗୋପାଳକ୍ରିଷ୍ଣନ ଏକାଡେମିକ ବ୍ଲକ’, ‘ଡକ୍ଟର କେ. କସ୍ତୁରୀରଙ୍ଗନ ଅଡିଟୋରିୟମ’ ଏବଂ ‘ସାଟେଲାଇଟ ଗ୍ରାଉଣ୍ଡ ଷ୍ଟେସନ’କୁ ଉଦଘାଟନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ର ନିର୍ମାଣର ପ୍ରକୃତ ମାପକାଠି ପ୍ରାୟତଃ ସେହି ଅନୁଷ୍ଠାନଗୁଡ଼ିକରେ ପ୍ରତିଫଳିତ ହୁଏ, ଯେଉଁମାନେ ଆଗାମୀ ପିଢ଼ି ପାଇଁ ପୁଞ୍ଜିନିବେଶ କରିବାକୁ ବାଛିଥାନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାଦାନର କେନ୍ଦ୍ର ହୋଇ ରହିବା ଉଚିତ ନୁହେଁ ; ସେଗୁଡ଼ିକ ଏପରି ଏକ ସ୍ଥାନ ଭାବରେ ଉଭା ହେବା ଉଚିତ୍, ଯେଉଁଠାରେ ଜାତୀୟ ଉଦ୍ଦେଶ୍ୟ ମାନବୀୟ ସମ୍ଭାବନାରେ ରୂପାନ୍ତରିତ ହୁଏ ଏବଂ ଯେଉଁଠାରେ ଯୁବବର୍ଗଙ୍କ ମନକୁ ଜ୍ଞାନ ଏବଂ ଚରିତ୍ର ସହିତ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରାଯାଏ ।

ସେ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଆଜି ଭାରତର ‘ପ୍ରୁଫ୍ ଅଫ୍ କନସେପ୍ଟ’ ଭାବରେ ଠିଆ ହୋଇଛି, ଯେଉଁଠାରେ ଇସ୍ରୋ, ଆଇଆଇଏସସି ବେଙ୍ଗାଲୁରୁ, ଡିଆରଡିଓ ଭଳି ଅନୁଷ୍ଠାନ ଏବଂ ଏକ ସମୃଦ୍ଧ ଷ୍ଟାର୍ଟଅପ୍ ବ୍ୟବସ୍ଥା ରହିଛି । ସେହିପରି ଜାତୀୟ ପ୍ରଗତିର ପଥ କେବଳ ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ନୁହେଁ, ବରଂ ଆମେ ଗଠନ କରୁଥିବା ମାନସିକତାର ଗୁଣବତ୍ତା ଦ୍ୱାରା ନିର୍ଦ୍ଧାରିତ ହେବ । ଯେତେବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକ ଉତ୍କର୍ଷତା ଏବଂ ଉଦ୍ଦେଶ୍ୟ ଉଭୟକୁ ଅନୁପ୍ରାଣିତ କରନ୍ତି, ସେମାନେ ଭାରତକୁ ଆତ୍ମବିଶ୍ୱାସ, ନବସୃଜନ ଏବଂ ଜାତୀୟ ଦାୟିତ୍ୱବୋଧ ସହିତ ଆଗକୁ ନେଇଯିବା ପାଇଁ ଏକ ସକ୍ଷମ ପିଢ଼ି ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ବେଟ୍ଟାକୋଟେ ସ୍ଥିତ ସ୍ପର୍ଶ ଟ୍ରଷ୍ଟର ‘ମକ୍କାଲା ଧାମ’ କ୍ୟାମ୍ପସ ପରିଦର୍ଶନ କରିଥିଲେ । ସେହିପରି ପବିତ୍ର ନୃସିଂହ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ମଲ୍ଲେଶ୍ୱରମ ସ୍ଥିତ ଐତିହାସିକ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଦର୍ଶନ କରିବା ସହ ଦେଶର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।