ସ୍ୱଳ୍ପ ଖର୍ଚ୍ଚରେ ଚିକିତ୍ସା ସହ ଦିବ୍ୟାଙ୍ଗଙ୍କ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତର ସୁସ୍ମିତା ଦାଶ
ପଡ଼ୋଶୀ ରାଜ୍ୟରୁ ବି ଶତାଧିକ ରୋଗୀ ଆସୁଛନ୍ତି ଚିକିତ୍ସା ପାଇଁ
ବରଗଡ଼, ୦୮/୦୫: ଆଜିର ବ୍ୟବସାୟିକ ଯୁଗରେ ଚିକିତ୍ସା ସେବା ଯେତେବେଳେ ସାଧାରଣ ଲୋକଙ୍କ ପାଇଁ ଦୁର୍ଲଭ ହୋଇପଡ଼ିଛି, ସେହି ସମୟରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଭଟଲି ଛକସ୍ଥିତ ସାଇକୃପା ନର୍ସିଂହୋମର ମୁଖ୍ୟ ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞା ଡାକ୍ତର ସୁସ୍ମିତା ଦାଶ। ତାଙ୍କର ସେବା ଓ ନିଷ୍ଠା ଯୋଗୁଁ ଆଜି କେବଳ ବରଗଡ଼ ଜିଲ୍ଲା ନୁହେଁ, ବରଂ ପଡ଼ୋଶୀ ଜିଲ୍ଲା ସମେତ ସୀମାନ୍ତବର୍ତ୍ତୀ ଛତିଶଗଡ଼ ଅଞ୍ଚଳରୁ ମଧ୍ୟ ଶତାଧିକ ରୋଗୀ ନିୟମିତ ଭାବେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି।
ସେବା ମନୋଭାବ ଓ ସ୍ୱଳ୍ପ ଫିଜ୍:
ଯେଉଁଠି ବଡ଼ ବଡ଼ ବେସରକାରୀ ହସ୍ପିଟାଲରେ ଡାକ୍ତରୀ ପରାମର୍ଶ ଫିଜ୍ ୪୦୦ ରୁ ୫୦୦ ଟଙ୍କା ଛୁଇଁଲାଣି, ସେଠାରେ ଡାକ୍ତର ଦାଶ ମାତ୍ର ୨୦୦ ଟଙ୍କା ବିନିମୟରେ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ଏହି ସମ୍ପର୍କରେ ସେ କୁହନ୍ତି, “ସମସ୍ତଙ୍କୁ ଖୁସି କରିବା ନୁହେଁ, ବରଂ ସମସ୍ତଙ୍କୁ ସୁସ୍ଥ କରିବା ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ।” ଡାକ୍ତରଙ୍କ ଏହି ମହତ ଚିନ୍ତାଧାରା ଆଜି ଅନେକ ଅସହାୟ ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରିଛି।
ଦିବ୍ୟାଙ୍ଗଙ୍କ ପାଇଁ ସାହା ଭରସା:
କେବଳ ସ୍ୱଳ୍ପ ଫିଜ୍ ନୁହେଁ, ବରଂ ସମାଜର ଅବହେଳିତ ତଥା ଦିବ୍ୟାଙ୍ଗମାନଙ୍କ ପାଇଁ ସାଇକୃପା ନର୍ସିଂହୋମ ସାଜିଛି ଏକ ବଡ଼ ସାହାରା। ଏଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଉଛି। ବିଶେଷ କରି ବରଗଡ଼ ସହରରେ ଥିବା ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଡାକ୍ତର ସୁସ୍ମିତା ଦାଶ ନିୟମିତ ଭାବେ ବିନା କୌଣସି ଫିଜ୍ରେ ଚିକିତ୍ସା କରିବା ସହ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି।
ତାଙ୍କର ଏହି ନିସ୍ୱାର୍ଥପର ସେବା କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯିବା ସହ, ସେ ଅନ୍ୟ ଡାକ୍ତରମାନଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା ସାଜିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାଇକୃପା ନର୍ସିଂହୋମର ଏହି ମାନବିକ ଆଭିମୁଖ୍ୟ ବରଗଡ଼ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ବରଦାନ ସଦୃଶ ହୋଇଛି।