ବଙ୍ଗ ବିଜୟ ସବୁଠୁ ବଡ଼ ବିଜୟ; ମନ, ଆତ୍ମା, ଶରୀର ସବୁ ଖୁସି: ଅମିତ ଶାହ

‘୩୭୦ ଧାରା ହଟାଇବା ପରେ ବି ରହିଯାଇଥିବା ଲକ୍ଷ୍ୟ ପୂରଣ ହେଲା’

କୋଲକାତା, ୦୮/୦୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅମିତ ଶାହ ସମ୍ବୋଧନ କରି କହିଛନ୍ତି, ବଙ୍ଗ ବିଜୟ ସବୁଠୁ ବଡ଼ ବିଜୟ। ମନ, ଆତ୍ମା, ଶରୀର ସବୁ ଖୁସି। ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢ଼ିବା ବଡ଼ ଉପଲବ୍ଧି।

୩୭୦ ଧାରା ହଟାଇବା ପରେ ବି ଆଉ ଗୋଟିଏ ଲକ୍ଷ୍ୟ ରହି ଯାଇଥିଲା। ତାହା ଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢ଼ିବା। ଆଜି ବିଜେପି ବେଙ୍ଗଲରେ ସରକାର ଗଢ଼ି ଏକ ବଡ଼ ଲକ୍ଷ୍ୟ ପୂରଣ କରିଛି।

ବେଙ୍ଗଲରେ ଆମର ବିଜୟ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ। ହିଂସାରେ ଆମର ୩୨୧ କର୍ମକର୍ତ୍ତା ପ୍ରାଣ ହରାଇଛନ୍ତି। ୩୨୧ ବିଜେପି କର୍ମକର୍ତ୍ତାଙ୍କ ଏହି ବଳିଦାନ କଦାପି ଭୁଲି ହେବ ନାହିଁ

ସୀମା ସୁରକ୍ଷାକୁ ଆମେ ଆହୁରି ମଜବୁତ କରିବୁ। ପଶ୍ଚିମବଙ୍ଗ ବିଜୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନୁପ୍ରବେଶ ଓ ବେଆଇନ୍ ଗୋଚାଲାଣ ଅସମ୍ଭବ ହେବ। ସାରା ଦେଶରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ବାହାର କରିବୁ ବୋଲି ଶାହ କହିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୋଟ ୨୯୪ଟି ଆସନ ମଧ୍ୟରୁ ବିଜେପି ୨୦୭ଟି ଆସନ କରିଥିବା ବେଳେ ମ୍ୟାଜିକ ନମ୍ବର ପାର କରି ସରକାର ଗଠନ ପାଇଁ ଦାବି କରିଥିଲା। ଟିଏମସି ମାତ୍ର‌ ୮୦ଟି ଆସନ ହାତେଇ ପାରିଥିଲା। ଯାହା ଫଳରେ ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ଥିବା ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା।

ସେହିପରି ଭୋଟ୍ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଶାହ। କହିଛନ୍ତି, ନିଜ ପରାଜୟ ଲୁଚାଇବା ପାଇଁ ରାହୁଲ ସବୁବେଳେ ଅଭିଯୋଗ କରୁଛନ୍ତି। EVM, ଭୋଟର ତାଲିକା ଓ SIR ଉପରେ ଅଭିଯୋଗ କରୁଛନ୍ତି ରାହୁଲ।

ବିଜେପି ୨୦୧୪ରେ କ୍ଷମତାକୁ ଆସିଲା, ପୂର୍ବରୁ କେମିତି ହାରୁଥିଲା କଂଗ୍ରେସ।। ୧୯୬୭ ମସିହାରୁ ତାମିଲନାଡୁରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନାହାନ୍ତି। ପଶ୍ଚିମବଙ୍ଗରେ ୪୯ ବର୍ଷ ଧରି କ୍ଷମତାରେ ନାହିଁ କଂଗ୍ରେସ। ବିହାରରେ ୩୬ ବର୍ଷ, ନାଗାଲାଣ୍ଡରେ ୨୩ ବର୍ଷ ହେଲା କଂଗ୍ରେସ ନାହିଁ। ଓଡ଼ିଶାରେ ୨୬ ବର୍ଷ ଓ ମହାରାଷ୍ଟ୍ରରେ ୧୨ ବର୍ଷ ହେଲା କ୍ଷମତାରେ ନାହିଁ।

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ ଆତ୍ମଚିନ୍ତନ କରୁ କଂଗ୍ରେସ। ନଚେତ୍ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ବୁଡ଼ିଯିବ ବୋଲି କହିଛନ୍ତି ଶାହ।