ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ‘ଭାବ ବିନିମୟ ସଭା’ ଅନୁଷ୍ଠିତ
ପରିବାରର ମୂଲ୍ୟବୋଧ ଏବଂ ସାମାଜିକ ସଂହତି ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ୦୯/୦୫: ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ୱରର ନୟାପଲ୍ଲୀ କାର୍ଯ୍ୟାଳୟରେ “ଆମ ପରିବାର – ଗତକାଲି, ଆଜି ଓ ଆସନ୍ତାକାଲି” ଶୀର୍ଷକ ଏକ ‘ଭାବ ବିନିମୟ ସଭା’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରିବାରର ମୂଲ୍ୟବୋଧ ଏବଂ ସାମାଜିକ ସଂହତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ସଂଗଠନର ସଭାପତି ଅନିଲ ଶର୍ମାଙ୍କ ପୌରୋହିତ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କୁଟୁମ୍ବ ପ୍ରବୋଧନ ପ୍ରମୁଖ ବୈକୁଣ୍ଠ ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଶ୍ରୀ ସାହୁ କହିଥିଲେ ଯେ ଏକ ଶାନ୍ତିପୂର୍ଣ୍ଣ ଓ ମୂଲ୍ୟବୋଧଭିତ୍ତିକ ସମାଜ ଗଠନ ପାଇଁ ସୁଦୃଢ଼ ପାରିବାରିକ ବ୍ୟବସ୍ଥା ଅପରିହାର୍ଯ୍ୟ। ଭାଷା, ପୋଷାକ, ଖାଦ୍ୟପେୟ, ଏବଂ ପାରିବାରିକ ଭ୍ରମଣ ମାଧ୍ୟମରେ ପରିବାରକୁ ପୁଣିଥରେ ଯୋଡ଼ିବା ପାଇଁ ସେ ଗୁରୁତ୍ୱ ଦେଇଥିଲେ। ସମାଜର କଲ୍ୟାଣ ପାଇଁ ପ୍ରତିଟି ଘରେ ସାତ୍ତ୍ୱିକ ଖାଦ୍ୟ ଏବଂ ଶାରୀରିକ ବ୍ୟାୟାମ ଭଳି ସୁଭ୍ୟାସ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।
ବରିଷ୍ଠ ଲେଖକ ଦିଲ୍ଲୀପରାଜ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଡ. ସିକ୍ତା ପତି, ଡ. ପ୍ରତାପ ପାଣି, କବି ମନୋରଞ୍ଜନ ଷଡ଼ଙ୍ଗୀ, ପରିବେଶବିତ୍ ହାଡ଼ିବନ୍ଧୁ ପାଣିଗ୍ରାହୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ନିଜର ମତ ରଖିଥିଲେ।
ସାମାଜିକ ପ୍ରଗତି ଏବଂ ପାରିବାରିକ ସଦ୍ଭାବନା ଏକାଠି ଚାଲିବା ଉଚିତ ବୋଲି ଏହି ସଭାରେ ମତପ୍ରକାଶ ପାଇଛି।