ଦିଲ୍ଲୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇ ଆଲର୍ଟ ଜାରି
ଟାର୍ଗେଟରେ ମନ୍ଦିର, ଢାବା ଓ ସାମରିକ ଶିବିର : ଗୁଇନ୍ଦା ସୂତ୍ରରୁ ପ୍ରକାଶ
ନୂଆଦିଲ୍ଲୀ, ୦୯/୦୫: ଦିଲ୍ଲୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା କରିଛି ଭାରତୀୟ ଗୁଇନ୍ଦା ବିଭାଗ। ଗୁଇନ୍ଦା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (IED) ବ୍ୟବହାର କରି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିପାରନ୍ତି ବୋଲି ସତର୍କ କରାଯାଇଛି। ଯେଉଁଥିପାଇଁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ପୋଲିସ ସମସ୍ତ ସମ୍ବେଦନଶୀଳ ଏବଂ ଜନବହୁଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି।
ବିଜେପି ରାଜ୍ୟ କାର୍ଯ୍ୟାଳୟ ଏବଂ ଜାତୀୟ ମୁଖ୍ୟାଳୟ ବାହାରେ ଅତିରିକ୍ତ ସୁରକ୍ଷା ମୁତୟନ କରାଯାଇଛି। ଏକ ପ୍ରମୁଖ ମନ୍ଦିର ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ଯାଞ୍ଚ କରାଯାଇଛି।
ଗୁଇନ୍ଦା ସୂଚନା ଅନୁସାରେ, ଦିଲ୍ଲୀ-ସୋନିପତ ରାଜପଥର ଏକ ଲୋକପ୍ରିୟ ଢାବାରେ ଏକ ଗ୍ରେନେଡ୍ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ମନ୍ଦିରରେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ହିସାରର ଏକ ସାମରିକ ଶିବିର ଏବଂ ଉତ୍ତର ପ୍ରଦେଶର କେତେକ ପୋଲିସ ଷ୍ଟେସନ୍ ମଧ୍ୟ ଟାର୍ଗେଟରେ ଥିଲା।
ସୂଚନାଯୋଗ୍ୟ, ଗୋଟିଏ ସପ୍ତାହ ପୂର୍ବରୁ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ ଭଟ୍ଟି ସହ ଜଡ଼ିତ ଏକ ଆତଙ୍କବାଦୀ ମଡ୍ୟୁଲ୍ ଧରାପଡ଼ିବା ପରେ ଏହି ଗୁଇନ୍ଦା ସୂତ୍ର ପ୍ରକାଶ ପାଇଛି। ସେହି ମଡ୍ୟୁଲ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି।