ନୂଆଦିଲ୍ଲୀ, ୧୬/୦୫: କେନ୍ଦ୍ର ସରକାର ରୁପା ବାର୍ ଆମଦାନୀ ଉପରେ କଟକଣା ଲଗାଇଛନ୍ତି। କେନ୍ଦ୍ର ସରକାର ରୁପା (ସିଲଭର) ବାର୍ ଓ ଜୁଏଲରୀ ଆମଦାନୀ ଉପରେ କଠୋର କଟକଣା ଲଗାଇଛନ୍ତି। ପୂର୍ବରୁ ଥିବା ‘ଫ୍ରି’ (Free) ଆମଦାନୀ ନୀତିକୁ ‘ରେଷ୍ଟ୍ରିକ୍ଟେଡ୍’ ବା ପ୍ରତିବନ୍ଧକ (Restricted) କରିଦେଇଛନ୍ତି। ଏହା ମୁଖ୍ୟତଃ ମୁକ୍ତ ଆମଦାନୀ, ଏଫ୍ଟିଏ (FTA) ର ଅପବ୍ୟବହାର ଓ ଭାରତୀୟ ବଜାର ସୁରକ୍ଷା ପାଇଁ କରାଯାଇଛି। ଏ ନେଇ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (DGFT) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ।
ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି କାରଣ ଥାଇଲାଣ୍ଡ୍ ଆଦି ASEAN ଦେଶରୁ ଅସ୍ୱାଭାବିକ ଭାବେ ରୁପା ଆମଦାନୀ ବଢ଼ିଥିଲା। କେତେକ ଆମଦାନୀକାରୀ କଞ୍ଚା ରୁପା ବାର୍କୁ ଜୁଏଲରୀ ବୋଲି ଦେଖାଇ କମ୍ ଶୁଳ୍କରେ ଆଣୁଥିଲେ (ଏଫ୍ଟିଏ ର ଅପବ୍ୟବହାର)। ଭାରତରେ ରୁପା ଜୁଏଲରୀ ଶିଳ୍ପ ଓ କାରିଗରଙ୍କୁ ସୁରକ୍ଷା ଦେବା। ବିଦେଶୀ ମୁଦ୍ରା ସଞ୍ଚୟ (Forex) ଉପରେ ଚାପ କମାଇବା।
ନୂଆ ନିୟମ ଅନୁସାରେ, ଏବେ ଆମଦାନୀ ପାଇଁ DGFT ରୁ ଲାଇସେନ୍ସ/ଅନୁମତି ନେବାକୁ ପଡ଼ିବ। ପୂର୍ବ ଭଳି ସ୍ୱତନ୍ତ୍ର ଭାବେ ଆମଦାନୀ କରିହେବ ନାହିଁ। ୧୦୦% ଏକ୍ସପୋର୍ଟ ଓରିଏଣ୍ଟେଡ୍ ୟୁନିଟ୍ (EOU) ଓ SEZ ରେ ଥିବା କମ୍ପାନୀଗୁଡ଼ିକୁ ଏହି କଟକଣା ଲାଗୁ ହେବ ନାହିଁ।
ଏହା ପ୍ରଭାବରେ ରୁପା ବାର୍ ଓ ଜୁଏଲରୀ ଆମଦାନୀ କମିବ, ଯାହା ଫଳରେ ଭାରତୀୟ ବଜାରରେ ରୁପାର ମୂଲ୍ୟ ବଢ଼ିପାରେ। ଜୁଏଲରୀ ଶିଳ୍ପରେ କାମ କରୁଥିବା ଲୋକଙ୍କ ପାଇଁ ସୁଯୋଗ ବଢ଼ିପାରେ। ଅବୈଧ ଆମଦାନୀ (Smuggling) ବଢ଼ିବାର ଆଶଙ୍କା ରହିଛି।