ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ଘୋଷଣା କଲେ ମନ୍ତ୍ରୀ

ବାଜି ମାରିଲେ ଛାତ୍ରୀ, ମୋଟ ପାସ୍ ହାର ୮୫.୮୫%

ଭୁବନେଶ୍ୱର, ୨୦/୦୫: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନ ସାଢେ ୧୨ଟାରେ ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ବାହାରିଛି। CHSE ଅଫିସ୍‌ରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଚଳିତ ଥର ମୋଟ ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାର ରହିଛି ୮୫.୮୫ ପ୍ରତିଶତ।

ବିଜ୍ଞାନରେ ୮୮.୮୦ ପ୍ରତିଶତ ରହିଛି ପାସ୍ ହାର। ଛାତ୍ରଙ୍କ ପାସ୍‌ ହାର ୮୭.୪୧% ଓ ଛାତ୍ରୀଙ୍କ ପାସ୍‌ ହାର ୯୦.୨୪% ରହିଛି।

ସେହିପରି ବାଣିଜ୍ୟରେ ୮୮.୦୭ ପ୍ରତିଶତ ପାସ୍ ହାର ରହିଛି। ଛାତ୍ରଙ୍କ ପାସ୍‌ ହାର ୮୬.୬୭% ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୯୦.୪୩% ରହିଛି।

କଳାରେ ୮୪.୫୦ ପ୍ରତିଶତ ରହିଛି ମୋଟ ପାସ୍ ହାର। ଛାତ୍ରଙ୍କ ପାସ୍‌ ହାର ୭୭.୯୭%, ଛାତ୍ରୀଙ୍କ ପାସ୍‌ ହାର ୮୯.୪୫% ରହିଛି।

ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ୍ ହାର ୭୭.୮୨ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୩ ପ୍ରତିଶତ ରହିଛି।

ତେବେ ସବୁ ଷ୍ଟ୍ରିମରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ବାଜିମାତ କରିଛନ୍ତି। ସବୁଥିରେ ଛାତ୍ରୀମାନେ ଆଗୁଆ ରହିଛନ୍ତି।

ଅପରାହ୍ନ ୩ଟାରେ ଛାତ୍ରଛାତ୍ରୀମାନେ www.orissaresults.nic.inwww.chseodisha.nic.in ଓ୍ୱେବ୍ସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ନିଜ ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ।