ନୂଆଦିଲ୍ଲୀ/କୋଲକାତା: ୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ସେନା କର୍ଣ୍ଣେଲ। କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ଗିରଫ କଲା ସିବିଆଇ। ସେ କୋଲକାତାର ଫୋର୍ଟ ଉଇଲିୟମ୍ ସ୍ଥିତ ଇଷ୍ଟର୍ନ କମାଣ୍ଡ୍ ଅଧୀନରେ ଆର୍ମି ଅର୍ଡନାନ୍ସ କୋର୍ପସ୍ (AOC) ରେ ନିୟୋଜିତ ଥିଲେ।
ସିବିଆଇ ଅନୁଯାୟୀ, କର୍ଣ୍ଣେଲ୍ ହିମାଂଶୁ ବାଲି କାନପୁର୍ ଆଧାରିତ ଏକ କମ୍ପାନୀ M/s Eastern Global Limitedକୁ ଲାଭ ଦେବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ହସ୍ତକ୍ଷେପ କରିଥିଲେ। ସେ ନିମ୍ନମାନର ନମୁନା (substandard samples) ଅନୁମୋଦନ କରିବା, ବକେୟା ଓ ଅତିରିକ୍ତ ମୂଲ୍ୟର ବିଲ୍ କ୍ଲିୟାର୍ କରିବା ଏବଂ ଟେଣ୍ଡର ଆବଣ୍ଟନ ବାବଦରେ ପ୍ରାୟ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।
କମ୍ପାନୀର ଡାଇରେକ୍ଟର୍ ଅକ୍ଷତ୍ ଅଗ୍ରୱାଲ୍ ଓ ତାଙ୍କ ପିତା ମୟଙ୍କ ଅଗ୍ରୱାଲ୍ ସହିତ କର୍ଣ୍ଣେଲ୍ ବାଲିଙ୍କର ନିୟମିତ ଯୋଗାଯୋଗ ଥିଲା ବୋଲି ସିବିଆଇ କହିଛି। ମାର୍ଚ୍ଚ-ଏପ୍ରିଲ୍ ୨୦୨୬ ସମୟରେ ଏହି କାର୍ଯ୍ୟକଳାପ ଘଟିଥିବା ଅଭିଯୋଗ ରହିଛି। ଏକ ପ୍ରମୁଖ ଟେଣ୍ଡର୍ ଏପ୍ରିଲ୍ ୨୪ ତାରିଖରେ ଉକ୍ତ କମ୍ପାନୀକୁ ଦିଆଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ମେ ୧୬ ତାରିଖରେ କର୍ଣ୍ଣେଲ୍ ବାଲି ବକେୟା ୫୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ।
ମେ ୧୮ ତାରିଖରେ ସିବିଆଇ କର୍ଣ୍ଣେଲ୍ ହିମାଂଶୁ ବାଲିଙ୍କୁ କୋଲକାତାରୁ ଗିରଫ କରିଥିଲା। ତାଙ୍କୁ ଏବେ ଦିଲ୍ଲୀ ନେଇ ଯାଇ ପଚରାଉଚରା କରାଯାଉଛି।