ଜ୍ଞାନବ୍ୟାପୀ ମାମଲା: ଶିବଲିଙ୍ଗ ପୂଜା ଅନୁମତି ରାୟ ଟଳିଲା, ପରବର୍ତ୍ତି ଶୁଣାଣି ନଭେମ୍ବର ୧୪ରେ

ବନାରସ ୮।୧୧: ଜ୍ଞାନବ୍ୟାପୀ ମାମଲାରେ ବାରଣାସୀ କୋର୍ଟରେ ମଙ୍ଗଳବାର ହେବାକୁ ଥିବା ଶୁଣାଣି ଟଳିଯାଇଛି। ପ୍ରସଙ୍ଗରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେବାର ଥିଲା। ଏଥିରେ ମସଜିଦରୁ ମିଳିଥିବା ଶିବଲିଙ୍ଗ ଆକୃତିର ପଥରକୁ ପୂଜା କରାଯିବ କି ନା ସେ ବାବଦେ ରାୟ ଆସିଥାନ୍ତା। ଏବେ ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୧୪ ତାରିଖରେ ହେବ।

ଫାଷ୍ଟଟ୍ରାକ୍ କୋର୍ଟ ସିଭିଲ ଜଜ୍ ସିନିୟର ଡିଭିଜନ ହିନ୍ଦୁ ପକ୍ଷର ୩ ମୁଖ୍ୟ ଦାବି ଉପରେ ରାୟ ଦେବେ। ହିନ୍ଦୁପକ୍ଷଙ୍କ ଯେଉଁସବୁ ଦାବି ରହିଛି ଏଥିରେ ସ୍ୱୟମ୍ଭୁ ଜ୍ୟୋତିର୍ଲିଙ୍ଗ ବିଶ୍ୱେଶ୍ୱରଙ୍କ ପ୍ରାର୍ଥନା ତତ୍କାଳ ଆରମ୍ଭ କରିବା, ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ ପରିସରକୁ ହିନ୍ଦୁ ଅର୍ପଣ କରିବା ଓ ଜ୍ଞାନବ୍ୟାପୀ ପରିସରକୁ ମୁସଲମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ ଆଦି ରହିଛି। ଏହା ପୂର୍ବରୁ ବନାରସ କୋର୍ଟ କଥିତ ଶିବଲିଙ୍ଗର ବୈଜ୍ଞାନିକ ଯା଼ଞ୍ଚ ଲାଗି ଅନୁମତି ଦେବାକୁ ମନା କରିଦେଇଥିଲେ।