ବରଗଡ ସାଂସଦଙ୍କ ନୂଆ ଟିମ୍

ଲିପ୍ସିତ ଓ ପ୍ରୀତମଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ପଦ୍ମପୁର, ୨୬/୦୫: ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଓ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ନିଜର ଦୁଇ ଜଣ ନିର୍ଭରଯୋଗ୍ୟ ପ୍ରତିନିଧିଙ୍କୁ ମନୋନୀତ କରିଛନ୍ତି। ବରଗଡ ପାଇଁ ଆଇନଜୀବୀ ଲିପ୍ସିତ ମିଶ୍ର ଏବଂ ପଦ୍ମପୁର ପାଇଁ ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେରଙ୍କୁ ଦାୟିତ୍ୱ ଦେଇ ସେ ବଡ ପଦକ୍ଷେପ ନେଇଛନ୍ତି।

ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଉଭୟ ନେତା କହିଛନ୍ତି ଯେ, ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ସର୍ବୋତ୍ତମ ବ୍ୟବହାର କରିବା ସହ ସାଧାରଣ ଲୋକଙ୍କ ଛୋଟ-ବଡ ସମସ୍ୟାକୁ ପ୍ରଶାସନିକ ସ୍ତରରେ ତ୍ୱରିତ ସମାଧାନ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯେପରି ଶେଷ ଧାଡ଼ିର ମଣିଷ ପାଖରେ ପହଞ୍ଚିବ, ସେଥିପାଇଁ ସେମାନେ ସକ୍ରିୟ ଭୂମିକା ଗ୍ରହଣ କରିବେ।