ଅବଦୁର ରେହମାନ ନିର୍ଦ୍ଦୋଷ, ପ୍ରମାଣ ଯୋଗାଡ଼ କରିପାରିଲାନି ଓଡ଼ିଶା କ୍ରାଇମବ୍ରାଞ୍ଚ

ମିଛ ଅଭିଯୋଗରେ ଫସାଯାଇଥିଲା: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲା ଅବଦୁର

କଟକ, ୨୬/୦୫: ଆତଙ୍କୀ ଲିଙ୍କ୍ ରେ ୨୦୧୫ରେ ଗିରଫ ହୋଇଥିବା ଅବଦୁର ରେହମାନକୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ। ପ୍ରମାଣ ଅଭାବରୁ ଅବଦୁରକୁ ମୁକ୍ତ କରିବା ପାଇଁ କହିଲେ ଜିଲ୍ଲା ଦୌରାଜଜ୍‌।

ଉଲ୍ଲେଖଯୋଗ୍ୟ, ୨୦୧୫ ଡିସେମ୍ବର ୧୬ରେ ସାଲେପୁର ପଶ୍ଚିମକଚ୍ଛରୁ AQIS ବା ଅଲ୍ କାଏଦା ଇଣ୍ଡିଆନ୍ ସବ୍ କଣ୍ଟିନେଣ୍ଟ ଆତଙ୍କୀ ଗ୍ରୁପ୍ ସହ ଲିଙ୍କ୍ ରେ ଗିରଫ ହୋଇଥିଲା ଅବଦୁର ରେହମାନ। କମିଶନରେଟ ପୋଲିସ ସହାୟତାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାକୁ ଗିରଫ କରିଥିଲା।

ଅବଦୁର ବିରୋଧରେ ବେଆଇନ ମଦ୍ରାସା ଚଳାଇବା, ବନ୍ଧୁକ ରଖିବା ଅଭିଯୋଗ ରହିଥିଲା। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିଲା।

ରେହମାନକୁ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେବା ପରେ ସେଠାରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୁଲିସ୍‌‌ ତାକୁ ଜେରା କରି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ।

ଗିରଫ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। କିନ୍ତୁ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିପାରିଲାନି ଓଡ଼ିଶା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ତଦନ୍ତ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦିଲ୍ଲୀ କୋର୍ଟ ୭ ବର୍ଷର ସଜା ଶୁଣାଇଥିଲେ, ଯାହା ଶେଷ ହୋଇ ସାରିଛି। କିନ୍ତୁ କଟକ ଜିଲ୍ଲା ଦୌରାଜଜ୍‌ ଅବଦୁରକୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ଜାମସେଦପୁର କୋର୍ଟ ମଧ୍ୟ ଅନୁରୂପ ରାୟ ଦେଇଥିଲେ।

ତେବେ ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ଅବଦୁର ଗଣମାଧ୍ୟମରେ କହିଛି ଯେ, ୧୧ ବର୍ଷ ଧରି ମୋତେ ଜେଲରେ ରହିବାକୁ ପଡ଼ିଛି। ମିଛ ଅଭିଯୋଗରେ ଫସାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସବୁକିଛି ପ୍ରକାଶ କରିବି।