ପୃଥକ ଦୁର୍ଘଟଣା: ୧୦ ମୃତ

ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ଲକ୍ଷ୍ନୌ, ୨୬/୦୫: ଉତ୍ତରପ୍ରଦେଶରେ ପୃଥକ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାରେ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଔରସ ଅଞ୍ଚଳରେ ଏକ ଦ୍ରୁତଗାମୀ ସ୍ଲିପର ବସ୍ ଓଲଟି ପଡ଼ିଯିବା ଫଳରେ ବିହାରର ଜଣେ ପୁଲିସ ଅଧିକାରୀ ଏବଂ ଜଣେ କଏଦୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ବସ୍‌ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା।

ଅନ୍ୟ ଏକ ଘଟଣାରେ ଉତ୍ତର ପ୍ରଦେଶର ବାରବାଙ୍କିରେ ଲକ୍ଷ୍ନୌ-ସୁଲତାନପୁର ରାଜପଥରେ ସୋମବାର ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା। ହାଇଦରଗଡ଼ ଅଞ୍ଚଳରେ ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଏକ ଦ୍ରୁତଗାମୀ ଇନୋଭା କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ସମସ୍ତ ଆହତଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଇଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।