ଲକ୍ଷ୍ନୌ, ୨୯/୦୫: ନିର୍ମାଣାଧୀନ ପୋଲ ଭୁଶୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମନାକୁ ଆସିଛି। ଉତ୍ତରପ୍ରଦେଶ ବେତୱା ନଦୀ ଉପରେ ନିର୍ମାଣାଧୀନ ପୋଲ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଫଳରେ ଏହି ଅଘଟଣ ଘଟିଛି।
୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ଫସି ରହିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଗତ କାଲି ବିଳମ୍ବିତ ରାତିରେ ଝଡ଼ ବର୍ଷାରେ ନିର୍ମାଣାଧୀନ ପୋଲର ସ୍ଲାବ୍ଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ପୋଲର ଏକ ଅଂଶରେ ଶ୍ରମିକମାନେ ଶୋଇଥିଲେ। ଯାହା ଫଳରେ ପୋଲ ଭୁଶୁଡ଼ି ସେମାନେ ଚାପି ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲରେ କାମ ଚାଲୁଥିବା ସମୟରେ ଝଡ଼ ବର୍ଷା ହେଉଥିଲା। ପ୍ରଥମେ ପୋଲର କିଛି ଅଂଶ ଭାଙ୍ଗି ଯାଇଥିଲା ଏବଂ ପରେ ପିଲରଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା। ହମିରପୁର ଜିଲ୍ଲାର ମୋରାକାନ୍ଦରରୁ କନ୍ଦୌରକୁ ସଂଯୋଗ ପାଇଁ ପୋଲ ନିର୍ମାଣ କରାଯାଇଥିଲା।