କେଦାରନାଥ ଯାତ୍ରା ସ୍ଥଗିତ

ପ୍ରତିକୂଳ ପାଗ ଯୋଗୁଁ ଅସ୍ଥାୟୀ ଭାବେ ସ୍ଥଗିତ

ଡେରାଡୁନ, ୩୧/୦୫: ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମ ଯାତ୍ରାକୁ ସ୍ଥଗିତ ଘୋଷଣା କରାଯାଇଛି। ବର୍ଷା ଏବଂ ପ୍ରତିକୂଳ ପାଗ ପରିସ୍ଥିତି ଦୃଷ୍ଟିରେ ରଖି ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।

ଗତ କିଛି ଦିନ ଧରି ଉତ୍ତରାଖଣ୍ଡର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଏହା ଫଳରେ ରାସ୍ତା ଜଳମଗ୍ନ ହୋଇଯାଇଛି, ଭୂସ୍ଖଳନର ଆଶଙ୍କା ବଢ଼ିଛି ଏବଂ ପାଗ ପରିସ୍ଥିତି ଅତ୍ୟନ୍ତ ପ୍ରତିକୂଳ ହୋଇ ରହିଛି। ଯାହା ଫଳରେ ଏହି ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡର ରାଜ୍ୟ ସରକାର। ପାଗ ପରିସ୍ଥିତିରେ ଉନ୍ନତି ପରେ ଯାତ୍ରା ପୁଣି ଆରମ୍ଭ ହେବ।

ଯାତ୍ରା ସ୍ଥଗିତ ରହିଥିବା ସମୟରେ ଅନାବଶ୍ୟକ ଭାବରେ କେଦାରନାଥ ଅଭିମୁଖେ ଯାତ୍ରା ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଅଫିସିଆଲ୍ ସୂଚନା ଏବଂ ପାଗ ସମ୍ବନ୍ଧୀୟ ଅପଡେଟ୍ ପାଇଁ ଉତ୍ତରାଖଣ୍ଡ ଟୁରିଜମ୍ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସରକାରୀ ୱେବସାଇଟ୍/ସୋସିଆଲ୍ ମିଡିଆ ପେଜ୍ ଉପରେ ନଜର ରଖିବାକୁ କୁହାଯାଇଛି।