କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡକ୍ଟର ଜି. ପରମେଶ୍ୱର

ବେଙ୍ଗାଲୁରୁ, ୦୩/୦୬: କଂଗ୍ରେସ ନେତା ଡି.କେ. ଶିବକୁମାର କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟାଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଡି.କେ. ଶିବକୁମାର।

ବେଙ୍ଗାଳୁରୁସ୍ଥିତ ଲୋକଭବନର ଗ୍ଲାସ୍ ହାଉସରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣାଟକ ରାଜ୍ୟପାଳ ଥାୱାର୍ଚନ୍ଦ୍ ଗେହଲୋଟ୍ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ମଞ୍ଚରେ ଜଣେ ବିଶିଷ୍ଟ ସାଧୁ ଗଙ୍ଗାଧର ଅଜ୍ଜୟ୍ୟଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଶପଥ ଗ୍ରହଣ ସମାରୋହରେ ବରିଷ୍ଠ କଂଗ୍ରେସ ନେତା ଡକ୍ଟର ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପରମେଶ୍ୱର ପୂର୍ବରୁ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ସମାରୋହରେ ଆଉ ୧୨-୧୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସରକାର ଗଠନ କରିଥିଲା। ସିଦ୍ଧରାମୈୟା ମୁଖ୍ୟମନ୍ତ୍ରୀ ଥିବା ବେଳେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଦଳ ଭିତରେ ନେତୃତ୍ୱ ବଣ୍ଟନ ଚୁକ୍ତି ଅନୁଯାୟୀ ଏହି ପରିବର୍ତ୍ତନ ହୋଇଛି। ଶିବକୁମାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ମଧ୍ୟ ଅଛନ୍ତି ଏବଂ ଦଳର ଏକ ପ୍ରମୁଖ ସଂଗଠକ ବୋଲି ପରିଚିତ।

ଏହି ଶପଥ ଗ୍ରହଣ ସମାରୋହରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଆଦି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶିବକୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।