ଝାରସୁଗୁଡ଼ା ପୌରପାଳିକାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ନିଲମ୍ବିତ
ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ
ଝାରସୁଗୁଡ଼ା, ୧୦/୦୬: ଓଡ଼ିଶା ସରକାର ଝାରସୁଗୁଡ଼ା ପୌରପାଳିକାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଶ୍ରୀ ମାନସ ରଞ୍ଜନ ମଲ୍ଲିକ, ଓଆରଏସ୍ଙ୍କୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦୃଷ୍ଟିରୁ ତୁରନ୍ତ ନିଲମ୍ବନ କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ନିଲମ୍ବନ ଅବଧିରେ ଶ୍ରୀ ମଲ୍ଲିକ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) କାର୍ଯ୍ୟାଳୟରେ ସଂଲଗ୍ନ ରହିବେ ଏବଂ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡ଼ା ପୌରପାଳିକାରେ ପରିମଳ ବ୍ୟବସ୍ଥାପନା ପାଇଁ ୨୦ଟି ଲାଇଟ୍ କମର୍ସିଆଲ୍ ଭେହିକଲ୍ (ଏଲସିଭି) ଭଡ଼ାରେ ନିଯୁକ୍ତି ସମ୍ପର୍କିତ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ତାଙ୍କୁ ପୂର୍ବରୁ ବଦଳି କରାଯାଇଥିଲା।
ଏହି ଘଟଣାର ତଦନ୍ତରେ ଆର୍ଥିକ ଓ ବୈଷୟିକ ମୂଲ୍ୟାଙ୍କନରେ ଗୁରୁତର ତ୍ରୁଟି, ଯାନବାହନ ଭଡ଼ା ଦର ନିର୍ଦ୍ଧାରଣରେ ସ୍ୱଚ୍ଛତାର ଅଭାବ ଏବଂ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ସମ୍ପର୍କ ଥିବା ନେଇ ଗୁରୁତର ପ୍ରଶ୍ନ ଉଠିଥିଲା।
ତଦନ୍ତ ରିପୋର୍ଟ ପ୍ରକାଶ ପରେ ଏହି ମାମଲାରେ ବିସ୍ତୃତ ତଦନ୍ତ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଥିଲା। ବର୍ତ୍ତମାନ ସରକାରଙ୍କ ନିଲମ୍ବନ ଆଦେଶକୁ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ଭାବେ ଦେଖାଯାଉଛି।