ବଢ଼ିଲା ଅଶୋଧିତ ତେଲ ଦର

ବଢ଼ିବ କି ପେଟ୍ରୋଲ ଓ ଡିଜେଲ ଦର?

ନୂଆଦିଲ୍ଲୀ, ୧୧/୦୬: ଇରାନର ସାମରିକ ସ୍ଥଳ ଉପରେ ଟାର୍ଗେଟ କରି ଆମେରିକା ଆକ୍ରମଣ କରିବା ପରେ ଇରାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି। ଯାହା ପରେ ଗୁରୁବାର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ଡଲାରରୁ ଅଧିକ ବୃଦ୍ଧି ପାଇଛି।

ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୨.୩୦ ଡଲାର ବା ୨.୪୭% ବୃଦ୍ଧି ପାଇ ବ୍ୟାରେଲ ପିଛା ୯୫.୪୦ ଡଲାର ରେ ପହଞ୍ଚିଛି, ଯେତେବେଳେ ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ (WTI) ଅଶୋଧିତ ତୈଳର ମୂଲ୍ୟ ୨.୬୦ ଡଲାର ବା ୨.୮୯% ବୃଦ୍ଧି ପାଇ ବ୍ୟାରେଲ ପିଛା ୯୨.୬୩ ଡଲାର ରେ ପହଞ୍ଚିଛି।

ତେବେ ଅଶୋଧିତ ତେଲ ଦର ବଢ଼ିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ମଧ୍ୟ ସମ୍ଭାବନା ରହିଛି।

ଇରାନର ଶୀର୍ଷ ମିଳିତ ସାମରିକ କମାଣ୍ଡ ଗୁରୁବାର କହିଥିଲେ ଯେ ହର୍ମୁଜ୍ ପ୍ରଣାଳୀକୁ ତୈଳ ଟ୍ୟାଙ୍କର ଏବଂ ବାଣିଜ୍ୟିକ ଜାହାଜ ପାଇଁ ବନ୍ଦ କରିଦିଆଯାଇଛି, ଏବଂ ଚେତାବନୀ ଦେଇଥିଲେ ଯେ ଜଳପଥ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜ ଉପରେ ଗୁଳି ଚାଳନା କରାଯିବ।

ଅନ୍ୟପଟେ ଆମେରିକୀୟ ସେନା ବୁଧବାର ଦିନ X ରେ କହିଥିଲା ଯେ ବାଣିଜ୍ୟିକ ଜାହାଜଗୁଡ଼ିକ ଉଭୟ ଦିଗରେ ପ୍ରଣାଳୀ ଦେଇ ଚଳାଚଳ ଜାରି ରଖିଛି। ଏହି ଅଞ୍ଚଳରେ କୌଣସି ଆମେରିକୀୟ ଯୁଦ୍ଧଜାହାଜ ପ୍ରଭାବିତ ହୋଇନାହିଁ‌ ବୋଲି ମଧ୍ୟ ସ୍ପଷ୍ଟ କରିଥିଲା।