ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ
ଅନେକ ପରିଶ୍ରମ କରି ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଥିଲି: ଜଷ୍ଟିସ ନାଇଡ଼ୁ
ଭୁବନେଶ୍ୱର, ୧୧/୦୬: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ ରିପୋର୍ଟ ହଜିବା ଘଟଣାରେ ତଦନ୍ତ କରିଥିବା ଜଷ୍ଟିସ ଏ.ଏସ. ନାଇଡୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
ଜଷ୍ଟିସ ନାଇଡୁ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ କରିଥିଲି। ଧର୍ମାନ୍ତିକରଣ ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ରିପୋର୍ଟ ଦେଇଥିଲି। ୨୦୧୫ରେ ପ୍ରାୟ ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଭବିଷ୍ୟତରେ ଯେପରି ଏଭଳି ଘଟଣା ଘଟିବନି ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ରିପୋର୍ଟ ଚୋରି କରି କାହାର କିଛି ଲାଭ ହେବ ନାହିଁ। ରିପୋର୍ଟ କେଉଁଠି ରହିଯାଇ ଥାଇପାରେ, ଖୋଜିଲେ ନିଶ୍ଚୟ ମିଳିବ। କିନ୍ତୁ ରିପୋର୍ଟ ଚୋରି ହୋଇନଥିବ। ରିପୋର୍ଟକୁ ସାର୍ବଜନୀନ କରିବା କଥା, ହେଲେ ତାହା କରାଯାଇନାହିଁ। ଆଉ ଦ୍ୱିତୀୟ ରିପୋର୍ଟ ନାହିଁ। ରିପୋର୍ଟର ଡିଜିଟାଇଜେସନର ହୋଇନାହିଁ। ହାର୍ଡ କପି କେବଳ ଗୋଟିଏ ଥିଲା ତାହା ବି ରଫ। ପୁଣ ଥରେ ରଫରୁ ଖୋଜି କପିରେ ଲେଖିବା ସମୟସାପେକ୍ଷ। ହେଲେ, ମାତ୍ର ୨ ବର୍ଷ ଭିତରେ ରିପୋର୍ଟ କିପରି ହଜିଲା, ତାହା ଆଶ୍ଚର୍ଯ୍ୟଜନକ। ଅନେକ ପରିଶ୍ରମ କରି ରିପୋର୍ଟ ବନାଇଥିଲି। ସରକାରୀ ସ୍ତରରେ ହଜିଛି। ସରକାରୀ ସ୍ତରରେ ତଦନ୍ତ ହେବା ଉଚିତ୍।
ଅନ୍ୟପଟେ ପୂର୍ବ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ। ନାଇଡୁ କମିଶନ ରିପୋର୍ଟକୁ ଗାଏବ କରି ଧର୍ମାନ୍ତରୀକରଣ ରାକେଟକୁ ସୁରକ୍ଷା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ନାଇଡୁ କମିଶନ ରିପୋର୍ଟ ଫାଇଲ ଗାଏବ ହୋଇଥିବା ନେଇ ହୋଇଥିଲା ଅଭିଯୋଗ। ଏହି ରିପୋର୍ଟରେ ହତ୍ୟାକାଣ୍ଡରେ ମାଓବାଦୀଙ୍କର କଣ ଭୂମିକା ଥିଲା ରିପୋର୍ଟରେ ଉଲ୍ଲେଖ ଥିଲା।