କଲ୍ୟାଣସିଂହପୁର,୧୨/୬ (ନରସିଂହ ନାଥ ମହାପାତ୍ର ): ରାୟଗଡା ଜିଲ୍ଲାର ପାର୍ଶାଲି ପଞ୍ଚାୟତର ନିୟମଗିରି ଅଞ୍ଚଳରେ ପୁଣିଥରେ ହାତୀପଲ ଉପଦ୍ରବ କରିଥିବା ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ଲମ୍ବା ଗାଁରେ ୧୦ଟିକିଆ ହାତୀପଲ ପ୍ରବେଶ କରି ନଳକୂପ ଭାଙ୍ଗିବା ସହ କଦଳୀ ବାଡ଼ ଉଜାଡ଼ି ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ହାତୀପଲ ଜଙ୍ଗଲରୁ ବାହାରି ଲମ୍ବା ଗାଁରେ ପ୍ରବେଶ କରିଥିଲେ। ଗାଁର ଏକ ନଳକୂପକୁ ଭାଙ୍ଗି ଦେବା ସହ ସ୍ଥାନୀୟ ଚାଷୀ ପାଳୁ ହୁଇକାଙ୍କ କଦଳୀ ବାଡ଼କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ଏହା ଫଳରେ ଚାଷୀଙ୍କ ବ୍ୟାପକ ଆର୍ଥିକ କ୍ଷତି ଘଟିଥିବା ଜଣାପଡ଼ିଛି। ନିୟମଗିରି ଅଞ୍ଚଳରେ ବାରମ୍ବାର ହାତୀପଲ ଗାଁ ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ସନ୍ଧ୍ୟା ପରେ ଘରୁ ବାହାରିବାକୁ ଲୋକେ ଭୟ କରୁଥିବା ବେଳେ ଚାଷଜମି ଓ ଫଳବଗିଚାର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ହାତୀପଲଙ୍କ ଏଭଳି ଲଗାତାର ଉପଦ୍ରବ ଯୋଗୁଁ ମଣିଷ-ହାତୀ ସଂଘର୍ଷ ଦିନକୁ ଦିନ ଗମ୍ଭୀର ରୂପ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାର୍ସାଲି ଓ ନିୟମଗିରି ଅଞ୍ଚଳରେ ଦୀର୍ଘଦିନ ଧରି ହାତୀପଲଙ୍କ ତାଣ୍ଡବ ଜାରି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦିଗରେ ବନ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଉ ନାହିଁ। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ, ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜରଦାରି ଏବଂ ଦୀର୍ଘମିଆଦି ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ସମ୍ପର୍କରେ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡା କହିଛନ୍ତି ଯେ, ବର୍ତ୍ତମାନ ଆମ୍ବ ଓ ପଣସ ପାଚିଥିବାରୁ ହାତୀପଲ ଖାଦ୍ୟ ସନ୍ଧାନରେ ଗାଁ ମୁହାଁ ହେଉଛନ୍ତି। ଦିନବେଳେ ପ୍ରବଳ ଖରା ଯୋଗୁଁ ସେମାନେ ଜଙ୍ଗଲ ଭିତରେ ରହୁଥିବା ବେଳେ ରାତି ସମୟରେ ବାହାରି ଗାଁ ଅଞ୍ଚଳରେ ପ୍ରବେଶ କରୁଛନ୍ତି। ତଥାପି ବନ ବିଭାଗର ସ୍କ୍ୱାଡ୍, ଗଜସାଥୀ ଓ ବନ କର୍ମଚାରୀମାନେ ନିରନ୍ତର ନଜର ରଖିଥିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଗ୍ରାମବାସୀଙ୍କ ମତରେ, ଯଦି ହାତୀପଲଙ୍କ ଉପଦ୍ରବ ରୋକିବା ପାଇଁ ଶୀଘ୍ର ଓ ଦୃଢ଼ ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବା ସହ ଜନଜୀବନ ଓ ଚାଷବାସ ଉପରେ ବଡ଼ ପ୍ରଭାବ ପଡ଼ିପାରେ।