କଲ୍ୟାଣସିଂହପୁର,୧୧/୬ (ଆପ୍ର): ରାୟଗଡା ଜିଲ୍ଲାର ନିୟମଗିରି ପାହାଡ଼ିଆ ଅଞ୍ଚଳ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପଟାଙ୍ଗପଦର ଓ ମାୟାବାଲି ଗ୍ରାମରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କ ପାରମ୍ପରିକ ତିନିଦିନିଆ ଘଣ୍ଟଯାତ୍ରା ଭକ୍ତି, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଉତ୍ସାହ ମଧ୍ୟରେ ସମାପନ ହୋଇଛି। ଏହି ଅବସରରେ ନିୟମଗିରିର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଗ୍ରାମଦେବୀଙ୍କ ନିକଟରେ ସୁଖ, ଶାନ୍ତି, ଉତ୍ତମ ଫସଲ ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।
ପ୍ରକୃତି ଉପାସକ ଡଙ୍ଗରିଆ କନ୍ଧ ସମାଜରେ ଘଣ୍ଟଯାତ୍ରାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ନିୟମରାଜା, ଗ୍ରାମଦେବୀ ଓ ପ୍ରକୃତି ଶକ୍ତିଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଗ୍ରାମର କଲ୍ୟାଣ କାମନାରେ ଏହି ଉତ୍ସବ ପାଳନ କରାଯାଇଥାଏ। ତିନିଦିନ ଧରି ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଢୋଲ, ନିଶାନ ଓ ଘଣ୍ଟର ତାଳେ ଗାଁ ଉତ୍ସବମୁଖର ହୋଇଉଠିଥିଲା।
ଏହି ପାରମ୍ପରିକ ପୂଜାରେ ପାଚିଲା ଆମ୍ବ, ପଣସ, କଦଳୀ, ଧାନ ଲିଆ, ପୁଲ ଫଳ, ବେଲପତ୍ର, ଭେଳି ଗୁଡ଼, କଞ୍ଚା ହଳଦୀ ଭଳି ପ୍ରାକୃତିକ ଉପାଦାନ ଅର୍ପଣ କରାଯାଇଥିଲା। ସେହିପରି ପାରମ୍ପରିକ ରୀତିନୀତି ଅନୁଯାୟୀ କୁକୁଡ଼ା, ପାରା, ଛେଳି, ମେଣ୍ଢା ଓ ପୁଢ଼ ଆଦି ବଳି ଦେଇ ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ କରାଯାଇଥିଲା। ଗ୍ରାମର ସୁରକ୍ଷା, ରୋଗବ୍ୟାଧିରୁ ମୁକ୍ତି, ଭଲ ଫସଲ ଓ ସମୃଦ୍ଧ ଜୀବନ ପାଇଁ ସମସ୍ତ ଗ୍ରାମବାସୀ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ।
ଘଣ୍ଟଯାତ୍ରା ସମୟରେ ଗ୍ରାମର ପୂଜକ ଓ ବୟୋଜ୍ୟେଷ୍ଠମାନେ ପାରମ୍ପରିକ ବିଧିବିଧାନରେ ପୂଜାର୍ଚ୍ଚନା କରିଥିବା ବେଳେ ଯୁବକ ଓ ଯୁବତୀମାନେ ପାରମ୍ପରିକ ପୋଷାକ ପରିଧାନ କରି ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗ୍ରାମବାସୀଙ୍କ ସାମୂହିକ ଅଂଶଗ୍ରହଣ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା।
ଉତ୍ସବର ଶେଷ ଦିନରେ ସାମୂହିକ ପ୍ରାର୍ଥନା, ପ୍ରସାଦ ସେବନ ଓ ଭୋଜିର ଆୟୋଜନ କରାଯାଇଥିଲା। ପଟାଙ୍ଗପଦର ସହ ମାୟାବାଲି ଗ୍ରାମରେ ମଧ୍ୟ ସମାନ ଭାବେ ଘଣ୍ଟଯାତ୍ରା ସଫଳତାର ସହ ସମାପନ ହୋଇଥିବା ବେଳେ ସମଗ୍ର ନିୟମଗିରି ଅଞ୍ଚଳ ଭକ୍ତି ଓ ପରମ୍ପରାର ରଙ୍ଗରେ ରଙ୍ଗାୟିତ ହୋଇଉଠିଥିଲା।
ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଏହି ଘଣ୍ଟଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ପ୍ରକୃତି ପ୍ରତି ସମ୍ମାନ, ସାମାଜିକ ଏକତା ଓ ପ୍ରାଚୀନ ସଂସ୍କୃତିର ସଂରକ୍ଷଣର ଏକ ଜୀବନ୍ତ ପ୍ରତୀକ। ଆଧୁନିକତାର ପ୍ରଭାବ ମଧ୍ୟରେ ମଧ୍ୟ ନିୟମଗିରିର ଆଦିବାସୀ ସମାଜ ନିଜର ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁଣ୍ଣ ରଖିଥିବାରୁ ଏହି ଉତ୍ସବ ଏକ ସ୍ୱତନ୍ତ୍ର ପରିଚୟ ବହନ କରୁଛି।