ନୂଆଦିଲ୍ଲୀ, ୧୬/୦୬: ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୬ ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସ୍ ଛାତ୍ର ସଂଗଠନ ନ୍ୟାସନାଲ୍ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ କରିଛି। ସଂଗଠନର ଜାତୀୟ ସଭାପତି ବିନୋଦ୍ ଜାଖର୍ କହିଛନ୍ତି ଯେ, ପରୀକ୍ଷାରେ ଆସିଥିବା ୧୦୦ଟି ପ୍ରଶ୍ନରୁ ୮୨ଟି ଏକ କୋଚିଂ ଇନ୍ଷ୍ଟିଚ୍ୟୁଟ୍ ଅନନ୍ତମ୍ ଆଇଏଏସ୍ ର ଷ୍ଟଡି ମେଟିରିୟାଲ୍ ସହ ପ୍ରାୟ ସମ୍ପୂର୍ଣ୍ଣ ମେଳ ଖାଉଛି।
NSUI ଅନୁଯାୟୀ, ଗତ ୭-୮ ମାସ ମଧ୍ୟରେ ଅନନ୍ତମ୍ ଆଇଏଏସ୍ ପ୍ରକାଶିତ କରିଥିବା ନୋଟ୍ସ ଏବଂ ମ୍ୟାଟେରିୟାଲ୍ ରୁ ଏହି ପ୍ରଶ୍ନଗୁଡ଼ିକ ନିଆଯାଇଛି। କେବଳ ମେଳ ନୁହେଁ, ପ୍ରଶ୍ନର ଶବ୍ଦ ଏବଂ ଉପସ୍ଥାପନା ମଧ୍ୟ ସମାନ ଥିଲା ବୋଲି ଦାବି କରାଯାଇଛି। ପରୀକ୍ଷା ପରେ କୋଚିଂ ସାଇଟ୍ ରେ କିଛି ମ୍ୟାଟେରିୟାଲ୍ ର ତାରିଖ ବଦଳାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। NSUI ଏହାକୁ ଗମ୍ଭୀର ବିଷୟ ବୋଲି କହି ୟୁପିଏସସି ଠାରୁ ତୁରନ୍ତ ସ୍ପଷ୍ଟୀକରଣ ଏବଂ ସ୍ୱଚ୍ଛ ତଦନ୍ତ ଦାବି କରିଛି। ସଂଗଠନ କହିଛି ଯେ, କୋଚିଂ ମାଫିଆ ଏବଂ ପରୀକ୍ଷା ପ୍ରକ୍ରିୟା ମଧ୍ୟରେ ସମ୍ଭାବ୍ୟ ମିଳାମିଶା ହୋଇପାରେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ବେଗ ଦେଖାଦେଇଥିବାରୁ ଏହି ବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଅଭିଯୋଗ ଆସିବା ପରେ ଅନନ୍ତମ୍ ଆଇଏଏସ୍ ଏହାକୁ ସମ୍ପୂର୍ଣ୍ଣ ଭୁଲ୍ ଏବଂ ଭିତ୍ତିହୀନ ବୋଲି କହିଛି। ସଂସ୍ଥା କହିଛି ଯେ, “ପ୍ରଶ୍ନପତ୍ର ଆମ ପାଖକୁ ଲିକ୍ ହୋଇ ନଥିଲା ଏବଂ ଆମକୁ ପୂର୍ବରୁ ପ୍ରଶ୍ନ ଜଣା ନଥିଲା। କିଛି ଆନ୍ସର୍ କୀ ଏକ୍ସପ୍ଲାନେସନ୍ ଆର୍ଟିକଲ୍ ର ତାରିଖ ପୂର୍ବରୁ ଥିବା ଦେଖାଯାଉଛି କିନ୍ତୁ ଏହା ଏଡିଟୋରିଆଲ୍ ନିଷ୍ପତ୍ତି ଥିଲା। ବହୁ ଆର୍ଟିକଲ୍ ଏକାସାଙ୍ଗରେ ପ୍ରକାଶିତ ହେବାକୁ ନ ଦେଇ କ୍ରମାନୁସାରେ ପ୍ରକାଶ ପାଇଁ ତାରିଖ ବ୍ୟାକ୍ ଡେଟ୍ କରାଯାଇଥିଲା। ପରୀକ୍ଷା ପରେ ଫ୍ୟାକଲ୍ଟି ଲାଇଭ୍ ସଲ୍ଭ୍ କରିଥିବା ଏବଂ ଅଧିକାଂଶ ଆର୍ଟିକଲ୍ ମେ ୨୪-୨୫ ତାରିଖରେ ଅପଡେଟ୍ ହୋଇଥିଲା।
ତେବେ ୟୁପିଏସସି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। କିନ୍ତୁ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ପରେ ଏବେ ୟୁପିଏସସି ପେପର ଲିକ୍ ଘଟଣା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଛି।