ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ସରିଲା ଦେବସ୍ନାନ ନୀତି

ପୁରୀ, ୨୯/୦୬: ସରିଲା ଦେବସ୍ନାନ ନୀତି। ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ। ସେବାୟତମାନେ ବେଦଧ୍ୱନି ସହିତ ଏହି ନୀତି ସମ୍ପନ୍ନ କରିଥିଲେ। ଜୟ ଜଗନ୍ନାଥରେ ପ୍ରକମ୍ପିତ ସ୍ନାନବେଦି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼। ଭଜନ କୀର୍ତ୍ତନରେ ମସଗୁଲ୍ ଭକ୍ତ।

ଆଜି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଜନ୍ମ ଦିନ। ମହୋଦଧିରେ ଆବିର୍ଭୁତ ହୋଇଥିଲେ ଦାରୁବ୍ରହ୍ମ। ସ୍ନାନଯାତ୍ରା ପରେ ଆଜିଠୁ ୧୫ ଦିନ ଯାଏଁ ଅଣସର ଘରକୁ ଯିବେ ଶ୍ରୀଜିଉ।

ଆଜି ଭୋର୍‌ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ୨୯ ସୁଦ୍ଧା ଶେଷ ହୋଇଥିଲା। ମହାପ୍ରଭୁ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜମାନ କରିଥିଲେ। ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହୋଇଥିଲା। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିଥିଲେ। ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରାପହଁରା କରିବା ପରେ ମହାପ୍ରଭୁ ହାତୀବେଶରେ ଦର୍ଶନ ଦେଇଥିଲେ।