ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ
ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଚସ୍ପତି, ରାଜ୍ୟ ସଭାପତି ଓ ଅନ୍ୟ ବିଶିଷ୍ଟ ନେତୃବୃନ୍ଦ
ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଷ୍ଟ୍ରବାଦୀ ବିଚାର, ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଆଜିର ଯୁବବର୍ଗ: ମନମୋହନ ସାମଲ
ଭୁବନେଶ୍ୱର, ୦୬/୦୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ଥିଲେ। ତାଙ୍କ ରାଷ୍ଟ୍ରବାଦୀ ବିଚାର ଓ ଆଦର୍ଶରେ ଆଜିର ଯୁବ ବର୍ଗ ଅନୁପ୍ରାଣିତ ହେବା ନିତ୍ୟାନ୍ତ ଆବଶ୍ୟକ। ତାଙ୍କ କୃତିତ୍ୱ ବିଷୟରେ ଲୋକମାନେ ଜାଣିବା ଦରକାର। ମାତ୍ର ୫୨ ବର୍ଷ ଅବଧି ମଧ୍ୟରେ ସ୍ୱର୍ଗତଃ ମୁଖାର୍ଜୀ ଦେଶର ସର୍ବକନିଷ୍ଠ କୂଳପତି ହୋଇପାରିଥିଲେ। ଶିକ୍ଷାବିତ୍ ହେବା ପୂର୍ବରୁ ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ମଧ୍ୟ ବେଶ୍ କୃତିତ୍ୱ ହାସଲ କରିଥିଲେ। ଦେଶର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଭାରତର ପ୍ରଥମ ଶିଳ୍ପନୀତି ପ୍ରଣୟନ କରିଥିଲେ। ଭାରତରେ ମିଶ୍ରିତ ଅର୍ଥନୀତିର ସୁତ୍ରପାତ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଯେଉଁ ସବୁ କାର୍ଯ୍ୟ କରିଥିଲେ ସବୁଥିରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ସେ ପଶ୍ଚିମବଙ୍ଗ ଓ ଜାମ୍ମୁ କାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ। ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରିଥିଲେ । ‘ଏକ ଦେଶ ମେଁ, ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନହିଁ ଚଲେଙ୍ଗେ’ ବୋଲି କହିବା ସହ ପରମିଟ୍ ବ୍ୟବସ୍ଥାକୁ ବିରୋଧ କରି “କାଶ୍ମୀର ଚଲୋର” ଆହ୍ୱାନ ଦେଇଥିଲେ। ୧୯୫୧ରେ ସେ ଯେଉଁ ଭାରତୀୟ ଜନସଂଘର ପ୍ରତିଷ୍ଠାତା କରିଥିଲେ ତାହା ଆଜି ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟବୃକ୍ଷର ରୂପ ନେଇଛି। ତାଙ୍କ ବିଚାରଧାରା, ନିଷ୍ଠା ଓ କାର୍ଯ୍ୟପଦ୍ଧତିକୁ ଆଧାର କରି ଆଜି ବିଜେପି ଦେଶର ୨୨ଟି ରାଜ୍ୟରେ ଶାସନ କରୁଛି ବୋଲି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।
ଭୁବନେଶ୍ୱରସ୍ଥିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରୀ ସାମଲ କହିଛନ୍ତି ଯେ, ଦେଶର ସାମଗ୍ରିକ ବିକାଶ, ଅର୍ଥନୀତି ବିକାଶ, ସାମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି କିଭଳି ସୁଦୃଢ଼ ହେବ ସେନେଇ ସ୍ୱର୍ଗତଃ ମୁଖାର୍ଜୀ ସର୍ବଦା କାର୍ଯ୍ୟ କରୁଥିଲେ। ତାଙ୍କ ସ୍ମୃତିରେ ୨୩ ଜୁନ୍ ବଳିଦାନ ଦିବସରୁ ୬ ଜୁଲାଇ ଜନ୍ମଦିବସ ପର୍ଯ୍ୟନ୍ତ ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ମୃତିପକ୍ଷ ସାରା ରାଜ୍ୟରେ ପାଳନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବୁଥ୍, ମଣ୍ଡଳ ଓ ଜିଲ୍ଲାସ୍ତରରେ ଆଲୋଚନାଚକ୍ର କରାଯିବା ସହ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ସ୍ୱର୍ଗତଃ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବର୍ଷସାରା ବିଭିନ୍ନ ସ୍ଥାନରେ ତାଙ୍କ ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିବ। ଏଥିସହ ବିଭିନ୍ନ ସ୍ଥାନରେ ଡ. ମୁଖାର୍ଜୀଙ୍କ ନାମରେ ରାସ୍ତା, ପାର୍କ, ପାଠାଗାର, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ଛକ ଆଦି ନାମକରଣ କରିବାକୁ ପ୍ରସ୍ତାବ ରହିଛି।
ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀଙ୍କ ପ୍ରତିମୂର୍ତିିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ, ରାଜ୍ୟସଭାପତି ଓ ବିଶିଷ୍ଟ ନେତୃବୃନ୍ଦମାନେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।