କଲ୍ୟାଣସିଂହପୁର, ୬/୭(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲାଚୋର ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକ ସହ ଅନ୍ୟ ଯୁବକ ରାଜେଶ ଉଲ୍ଲକାକୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି। ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତଦନ୍ତ ସହ ପାଟ୍ରୋଲିଂ କରାଯାଉଥିବା ଥାନା ଅଧିକାରୀ ଅଜିତ ପରିଡା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକଙ୍କ ଘର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଦୁରିପଦର ଗ୍ରାମର ଓ ଧାମୁଣିପଙ୍ଗା ପଞ୍ଚାୟତ କଟିକିନାଳ ଗ୍ରାମର ରାଜେଷ ଉଲ୍ଲକା ବୋଲି ଜଣାପଡିଛି।
ଫେଲୋସିପ କାର୍ଯ୍ୟରେ ଯାଉଥିବା ଦିଲ୍ଲୀ ଆଜାଦପୁର ଅଞ୍ଚଳର ସୁମନ ଝାପ ଓ ଗୁଜୁରାଟ ସୁରତର ଅର୍ପିତା ସୂତାରିଆଙ୍କୁ ରାସ୍ତା ଖରାପ ହୋଇଛି ଯାଇପାରିବ ନାହିଁ ବୋଲି କହିବା ସହ ସେମାନଙ୍କ ସହ ଆଲୋଚନା କରିବା ପରେ ସେଠାରୁ ଫେରାଇ ଦେଇ ପିଲାଚୋର ବୋଲି ବିଭିନ୍ନ ଗ୍ରାମରେ ଅପପ୍ରଚାର କରି ଦେଇଥିଲେ।
ଦାଣ୍ଡପଦର, ସିଲେଟ, ବଣ୍ଡେଲି, କଲ୍ୟାଣ ସିଂହପୁର ବ୍ଲକ ତାଡିଝୋଲା, ଧାମୁଣିପଙ୍ଗା, କଟିକିନାଳ, ଇନ୍ତାଲିଗୁଡା ଗ୍ରାମ ଦେଇ ଆସୁଥିବା ବେଳେ ଘଉଡ଼ାଇ ଆଣି ସାହିନଗର ନିକଟରେ ଯୁବକମାନେ ଆକ୍ରମଣ କରିଥିଲେ।
ଏହି ଘଟଣାରେ ଗୁଜବ କରିଥିବା ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କାରିଥିବା ସୂଚନା ଦେଇଛନ୍ତି। ଏହାର ତଦନ୍ତ ଚାଲିଛି। ପୂର୍ବରୁ ୨୨ଜଣଙ୍କୁ ପୁଲିସ ଗିରଫ କରି ଥିଲେ। ବର୍ତ୍ତମାନ ଦୁଇ ଜଣଙ୍କୁ ମିଶାଇ ମୋଟ ୨୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।