ଯୋଗ୍ୟ ହିତାଧିକାରୀଙ୍କୁ ଉନ୍ନତ ଚୁଲା, ଶସ୍ୟ ବାକ୍ସ ଓ ଟର୍ଚ୍ଚ ଲାଇଟ୍ ବଣ୍ଟନ

ସମସ୍ୟାର ସମାଧାନ ପାଇଁ ଦାବି କଲେ ଗ୍ରାମବାସୀ

ଯୋଡ଼ା, ୭/୭: କେନ୍ଦୁଝର ବନଖଣ୍ଡ ବଡବିଲ ବନାଞ୍ଚଳ ପକ୍ଷରୁ ରେଞ୍ଜ ଅଫିସ ପରିସରରେ ଉନ୍ନତ ଚୁଲା, ଶସ୍ୟ ବାକ୍ସ ଓ ଟର୍ଚ୍ଚ ଲାଇଟ୍ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବରୁ ଘରେ କିମ୍ବା ଖଳାରେ ରଖାଯାଉଥିବା ଧାନ ଓ ଅନ୍ୟାନ୍ୟ ଶସ୍ୟକୁ ବନ୍ୟଜନ୍ତୁଙ୍କ ନଷ୍ଟରୁ ସୁରକ୍ଷିତ ରଖିବା ପାଇଁ ଶସ୍ୟ ବାକ୍ସ ବଣ୍ଟନ କରାଯବା ସହିତ ହିତାଧିକାରୀ ମାନଙ୍କୁ କମ୍ କାଠରେ ରୋଷେଇ ହୋଇପାରିବା ଭଳି ଉନ୍ନତ ଚୁଲା ଓ ରାତି ସମୟରେ ବନ୍ୟଜନ୍ତୁଙ୍କଠାରୁ ସୁରକ୍ଷା,ଗମନାଗମନର ସୁବିଧା ନିମନ୍ତେ ଟର୍ଚ୍ଚ ଲାଇଟ୍ ମଧ୍ଯ ବଣ୍ଟନ କରାଯାଇଛି । ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ୧୬୯ ଜଣଙ୍କୁ ଉନ୍ନତ ଚୁଲା,୨୦୦ ଶସ୍ୟ ବାକ୍ସ ଓ ପାଖାପାଖି ୨୦୦ ଟର୍ଚ୍ଚ ବଣ୍ଟନ କରାଯାଇଛି। ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଶଶୀକାନ୍ତ ଖିଲାର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବଡବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ, ବଡବିଲ ଫରେଷ୍ଟର ପିଅନ ନାଏକ, ଗୁଆଲି ଫରେଷ୍ଟର ଭୂପତି କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜଙ୍ଗଲ ରକ୍ଷା, ପରିବେଶ ସନ୍ତୁଳନ ଉପରେ ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା। ଏଥି ସହିତ ବିଭିନ୍ନ ଗ୍ରାମରେ ଲାଗି ରହିଥିବା ସମସ୍ୟା ଉପରେ ଗ୍ରାମାଞ୍ଚଳରେ ଅଧିବାସୀ ନିଜ ନିଜର ସମସ୍ୟା ସମ୍ପର୍କରେ ରେଞ୍ଜରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସୋଲାର ଲାଇଟ ନ ଜାଳିବା ସହିତ ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କରେ ଅବଗତ କରିଥିଲେ। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ରେଞ୍ଜର ଶ୍ରୀ ରାଉତ କହିଥିଲେ। ବିଭାଗର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ଏହି ପଦକ୍ଷେପ ଜଙ୍ଗଲ ଉପରେ ସ୍ଥାନୀୟ ଲୋକଙ୍କ ନିର୍ଭରଶୀଳତା କମାଇବା ସହ ସେମାନଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।