ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି

ଭୁବନେଶ୍ୱର, ୦୭/୦୭: ରାଜ୍ୟରେ ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି। ଉଛୁଳୁଛି ନଦୀର ସ୍ତର। ଅନେକ ଅଞ୍ଚଳରେ ବନ୍ୟା ପାଣି ପଶିଯିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।

ଯନ୍ତ୍ରୀ କହିଛନ୍ତି, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୦୬.୧୨ ଫୁଟ୍‌ ରହିଛି। ଏବେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। କାଲି ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ। ତେଣୁ ୯ ତାରିଖରେ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛୁ। କେତେ ଗେଟ୍ ଖୋଲିବୁ କାଲିର ଜଳସ୍ତର ଦେଖି ନିଷ୍ପତ୍ତି ନେବୁ। ମୁଣ୍ଡଳିରେ ଏବେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ। ୫ ଲକ୍ଷ କ୍ୟୁସେକ ତଳେ ଜଳ ପ୍ରବାହିତ ହେବ, ତେଣୁ ବନ୍ୟା ସ୍ଥିତି ନାହିଁ।