ସୋସିଆଲ ମିଡିଆରେ ବିଜେପି ଆକ୍ରୋଶର ଶିକାର ହେଉଛନ୍ତି ଜନସାଧାରଣ

ବିଜେପି କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ
କରୁଛି: ବିଜେଡି

ବିଜେପି ସମର୍ଥକଙ୍କ ପାଇଁ ଆଇନ ସମ୍ପୂର୍ଣ୍ଣ ଭିନ୍ନ

ଭୁବନେଶ୍ୱର, ୦୭/୦୭: ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତ ପ୍ରକାଶ କରୁଥିବା ଲୋକଙ୍କୁ ବିଜେପି ଆକ୍ରୋଶର ଶିକାର ହେବାକୁ ପଡୁଛି । ଯାହାକୁ ନେଇ ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେଲିନ ମହାନ୍ତି ବିଜେପି ସରକାରର ଏହି ହୀନ କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ।

ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ଦ୍ୱାରା ସମାଲୋଚିତ ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ଯିଏ ବିଜେପି ସରକାରକୁ ସମର୍ଥନ କରୁଛି, ତାଙ୍କ ପାଇଁ ଅନ୍ୟ ଆଇନ ବ୍ୟବସ୍ଥା ରହୁଛି । ଯେଉଁମାନେ ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତପ୍ରକାଶ କରୁଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ସେମାନଙ୍କୁ ଗିରଫ କରିବା ସହ ଥାନାକୁ ଡାକି ଭୟଭୀତ କରାଯାଉଛି । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଛି । କିଛି ଲେଖିଲେ ବ୍ୟକ୍ତିବିଶେଷଙ୍କ ସୋସିଆଲ ମିଡିଆ ଆଇଡି ବନ୍ଦ କରିଦିଆଯାଉଛି । ସରକାର ଜନତାଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ସୋସିଆଲ ମିଡିଆରେ ବିଜେପି ସରକାର ବିରୁଦ୍ଧରେ ଲେଖିବାରୁ ତାଙ୍କ ଆଇଡିକୁ ବନ୍ଦ କରିଦିଆଯାଇଛି । ସୋସିଆଲ ମିଡ଼ିଆରେ ବିଜେଡ଼ିର ପ୍ରଚାର ପ୍ରସାର କରୁଥିବା ଆଇଡିକୁ ମଧ୍ୟ ବିଜେପି ସରକାର ଜାଣିଶୁଣି ବନ୍ଦ କରିଦେଉଛି । ବିଜେପି ଆଇଟି ସେଲ୍ ପକ୍ଷରୁ ଅନେକ ବ୍ୟକ୍ତି ବିଶେଷଙ୍କ ଚରିତ୍ର ସଂହାର କରାଯାଉଛି । କିନ୍ତୁ ସରକାର ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଇପ୍ସୀତା ସାହୁଙ୍କ ନାମରେ ସୋସିଆଲ ମିଡିଆରେ ଯେଉଁପରି ଭାବେ କଦର୍ଯ୍ୟ ବ୍ୟବହାର କରାଯାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ସରକାରଙ୍କ ଅପାରଗତା ପାଇଁ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହେଲା । ସେହି ତ୍ରୁଟିକୁ ନେଇ ସରକାର ବିରୁଦ୍ଧରେ ସୋସିଆଲ ମିଡିଆରେ ଯିଏ ଟୀକାଟିପ୍ପଣୀ ଦେଉଛି, ସିଏ ଆକ୍ରୋଶର ଶିକାର ହେଉଛି । ବିଜେପି ସରକାରଙ୍କୁ ବିରୋଧ କରିବାରୁ କଟକର ବିଶ୍ୱଜିତ ସାହୁଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି । ଯେଉଁପରି ଭାବେ ତାଙ୍କୁ ଗିରଫ କରାଯାଇଛି, ସେହିପରି ଅନ୍ୟ ଦଳର ନେତାଙ୍କ ଚରିତ୍ର ସଂହାର କରୁଥିବା ଲୋକଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ ।

ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ ଯେ, ବିଜେପି ସରକାର ଲୋକଙ୍କ ସରକାର କହୁଛନ୍ତି, କିନ୍ତୁ ଲୋକଙ୍କ ଦୁଃଖ ଶୁଣୁନାହାନ୍ତି । ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଲେ ଆକ୍ରୋଶର ଶୀକାର ହେବାକୁ ପଡୁଛି । ଲୋକେ ଅନେକ ସମସ୍ୟାରେ ପଡୁଥିବା ବେଳେ ସୋସିଆଲ ମିଡିଆରେ ସମସ୍ୟାକୁ ଉପସ୍ଥାପନ କରିଲେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି, ଯାହାକି ଆଦୌ ଗ୍ରହଣୀୟ ନୁହେଁ । ଆଇନ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଥିବାବେଳେ ତାହା କିନ୍ତୁ ପ୍ରକୃତରେ କାର୍ଯ୍ୟକାରୀ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଯଦି କେହି କହିଲେ ପଦକ୍ଷେପ ଗ୍ରହଣ କରାଯାଉଛି, କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ କହିଲେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶ କରିବା, ଭତ୍ତା ଟଙ୍କା ଦେବାରେ ବିଳମ୍ୱ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ପଖାଳ ଦିବସରେ ସରକାରୀ ଟଙ୍କାର ଅପବ୍ୟବହାର କରିବା ଆଦି ଘଟଣା ସର୍ବସମ୍ମୁଖକୁ ଆଣିଲେ ବିଜେପି ସରକାର ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଆ ଅସ୍ମିତା ଓ ମହିଳାଙ୍କ ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ବିଜେପି ସୋସିଆଲ ମିଡ଼ିଆରେ ମହିଳା ଚରିତ୍ର ସଂହାର କରୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସେଥିପ୍ରତି ଗୁରୁତ୍ୱ ନଦେଇ ସୋସିଆଲ ମିଡିଆରେ ମତପ୍ରକାଶ କରୁଥିବା ଲୋକଙ୍କୁ ଗିରଫ କରି ପୋଲିସ ବାହାବା ନେବା ନିନ୍ଦନୀୟ ।

ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସାରା ରାଜ୍ୟରେ ସରକାର ଲୋକଙ୍କ ଦ୍ୱାରା ସମାଲୋଚିତ ହେଉଛନ୍ତି, କିନ୍ତୁ ତାହାକୁ ଗ୍ରହଣ କରୁନାହାନ୍ତି । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାଠ୍ୟପୁସ୍ତକରେ ୨୦୦୦ରୁ ଊଦ୍ଧ୍ୱର୍ ତ୍ରୁଟି ରହିଛି । ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁଙ୍କ ବିରୁଦ୍ଧରେ କୁତ୍ସିତ ମତପ୍ରକାଶ କରିଥିବା ଲୋକଙ୍କ ଉପରେ ବିଜେପି ସରକାର କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ? ପୁସ୍ତକ ତ୍ରୁଟି ହେଉ, ଅନ୍ୟାନ୍ୟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବିଫଳ ହେଉଛନ୍ତି । ସୋସିଆଲ ମିଡ଼ିଆରେ ମତ ସାବ୍ୟସ୍ତ କରିବାର ସମସ୍ତଙ୍କ ଅଧିକାର ରହିଛି । ଏହାର ସୁରକ୍ଷା ନିମନ୍ତେ ସୁପ୍ରିମକୋର୍ଟରେ ପୂର୍ବରୁ ଆଇଟି ଆକ୍ଟ ୬୬କୁ ଖାରଜ କରାଯାଇଥିଲା । କିନ୍ତୁ ବିଜେପି ସରକାର ତାହାକୁ ଅନୁପାଳନ ନକରି ସୋସିଆଲ ମିଡିଆରେ ସମାଲୋଚନା କରିଲେ କାର୍ଯାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ବିଜେପି ତାହାର ଆଇଟି ସେଲ୍କୁ ଛଦ୍ମ ଅସ୍ତ୍ର ଭାବେ ବ୍ୟବହାର କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି । ଯିଏ ତାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କୁ ଗିରଫ କରାଯାଉଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁଁ ସାରା ରାଜ୍ୟରେ ବର୍ବରତା ବଢ଼ିଚାଲିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଠିକ୍ ନ କରି ସୋସିଆଲ ମିଡିଆରେ ମତ ଦେଉଥିବା ଲୋକଙ୍କୁ ଗିରଫ କରି ପୋଲିସ୍ ନିଜର ପାରିବାପଣିଆ ଦେଖାଉଛି । ପୋଲିସ୍ର ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ । ସୋସିଆଲ ମିଡିଆରେ ଏପରି କୁତ୍ସାରଟନା କରିଲେ ବିଜୁ ଜନତା ଦଳ ଚୁପ ବସିବ ନାହିଁ, ଏହାର ସଠିକ୍ ଜବାବ ଦେବ । ଲୋକଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଥିବା ବିଜେପି ସରକାର ଯଦି ଏଥିରୁ କ୍ଷାନ୍ତ ନ ରୁହେ, ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବିଜେଡି ।