ବ୍ରହ୍ମପୁର, ୧୨/୦୭: ବାପାର କୁକର୍ମ ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୀଡ଼ିତା ମହିଳା।
ନିମଖଣ୍ଡି ଥାନା ଲୋଚାପଡ଼ା ବାସୁଦେବ ନଗରରେ ରହିଥିବା ମହିଳା ନିଜ ବାପା ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ବାପାଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଗତ ତିନି ଦିନ ତଳେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ନାଁରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ୨୦୨୫ରେ ବିବାହ କରିଥିଲେ ମହିଳା। ବିବାହର କିଛି ମାସ ପରେ ବାପାଙ୍କ ନାଁରେ ଅଭିଯୋଗ ଆଣି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଏହା ମଧ୍ୟରେ ନିର୍ଯାତନା ଅସହ୍ୟ ହେବାରୁ ସେ ତିନି ଦିନ ତଳେ ତାଙ୍କ ଶାଶୁ ଘରକୁ ଯାଇ ସେଠାରେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ଦିଅର ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏହି ଘଟଣାରେ ଅଭିଯୁକ୍ତକୁ ବାପାକୁ ଗିରଫ କରିଛି ପୋଲିସ। ଅଧିକ ତଦନ୍ତ ଜାରି ରହିଛି। କିନ୍ତୁ ମୃତ ମହିଳାଙ୍କ ମାଆ ଏହି ଘଟଣାକୁ ଅସ୍ୱୀକାର କରିବା ସହ ଝିଅ ମିଥ୍ୟା କହୁଥିବା କହିଛନ୍ତି। ବରଂ ଝିଅ ବାହାଘର ପରେ କେବେ ବି ଘରକୁ ଆସୁନଥିବା କହିଛନ୍ତି।