ମଧ୍ୟପ୍ରାଚ୍ୟ ଯୁଦ୍ଧ ତୀବ୍ର: ୧୪୦ଟି ସ୍ଥାନରେ ଆକ୍ରମଣ କଲା ଆମେରିକା

ଅନିର୍ଦ୍ଦିଷ୍ଟ କାଳ ପାଇଁ ହର୍ମୁଜ ବନ୍ଦ କଲା ଇରାନ

ନୂଆଦିଲ୍ଲୀ, ୧୨/୦୭: ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ସଂଘର୍ଷ ପୁଣିଥରେ ତୀବ୍ର ରୂପ ନେଇଛି। ଇରାନ ପକ୍ଷରୁ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ ହର୍ମୁଜ ପ୍ରଣାଳୀ ବନ୍ଦ ଘୋଷଣା କରାଯିବା ପରେ ଆମେରିକା ବ୍ୟାପକ ସାମରିକ ଆକ୍ରମଣ ଆରମ୍ଭ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଦାବି କରିଛି ଯେ ଇରାନର ପ୍ରାୟ ୧୪୦ଟି ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିଛି। ଏହି ଘଟଣା ପରେ ସମଗ୍ର ଗଲ୍ଫ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ଇରାନ ଅଭିଯୋଗ କରିଛି ଯେ ଏହାର ସାମୁଦ୍ରିକ ସୀମାରେ ଏକ ବାଣିଜ୍ୟିକ ଜାହାଜ ବିନା ଅନୁମତିରେ ଯାତାୟାତ କରୁଥିଲା। ଏହା ପରେ ସେହି ଜାହାଜ ଉପରେ ଆକ୍ରମଣ ହୋଇଥିଲା ଏବଂ ଇରାନ ହର୍ମୁଜ ପ୍ରଣାଳୀକୁ “ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ” ବନ୍ଦ ବୋଲି ଘୋଷଣା କରିଥିଲା। ଏହାର ଜବାବରେ ଆମେରିକା କହିଛି ଯେ ସମୁଦ୍ରପଥରେ ନିରାପଦ ଜାହାଜ ଚଳାଚଳ ବଜାୟ ରଖିବା ଅତ୍ୟାବଶ୍ୟକ ଏବଂ ସେହି ଉଦ୍ଦେଶ୍ୟରେ ସାମରିକ ଅଭିଯାନ ଚଲାଯାଇଛି।

CENTCOM ଅନୁସାରେ, ଆମେରିକାର ଆକ୍ରମଣରେ ଇରାନର ମିସାଇଲ୍ ଘାଟି, ଡ୍ରୋନ୍ ଲଞ୍ଚିଂ ସେଣ୍ଟର, ନୌସେନା ସୁବିଧା, ରାଡାର ବ୍ୟବସ୍ଥା ଏବଂ କମାଣ୍ଡ-କଣ୍ଟ୍ରୋଲ୍ ସେଣ୍ଟରକୁ ଟାର୍ଗେଟ କରାଯାଇଥିଲା। ଏହାକୁ ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ପାଇଁ କରାଯାଇଥିବା ଅଭିଯାନ ବୋଲି ଆମେରିକା ଦାବି କରିଛି।

ଅନ୍ୟପଟେ ଇରାନ ମଧ୍ୟ ତୁରନ୍ତ ପ୍ରତି ଆକ୍ରମଣ କରିଛି। ବାହାରିନ, କୁଏତ, କତାର ଏବଂ ୟୁଏଇରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ମିସାଇଲ୍ ଓ ଡ୍ରୋନ୍ ଆଟାକ କରିଛି। ଏହି ଦେଶଗୁଡ଼ିକରେ ଏୟାର ଡିଫେନ୍ସ ସିଷ୍ଟମ୍ ସକ୍ରିୟ କରାଯାଇଥିଲା ଏବଂ ଅନେକ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ନଷ୍ଟ କରାଯାଇଥିବା କୁହାଯାଇଛି।

ଇରାନ ସ୍ପଷ୍ଟ କରିଛି ଯେ ଆମେରିକା ଏହି ଅଞ୍ଚଳରେ ସାମରିକ ହସ୍ତକ୍ଷେପ ବନ୍ଦ ନକରିବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ଖୋଲାଯିବ ନାହିଁ। ଅନ୍ୟପଟେ ଆମେରିକା କହିଛି ଯେ ଅନ୍ତର୍ଜାତୀୟ ଜଳପଥରେ ଜାହାଜ ଚଳାଚଳକୁ ସୁରକ୍ଷିତ ରଖିବା ପାଇଁ ସେ ଆବଶ୍ୟକ ପଦକ୍ଷେପ ଜାରି ରଖିବ।

ହର୍ମୁଜ ପ୍ରଣାଳୀ ପୃଥିବୀର ସବୁଠାରୁ ବ୍ୟସ୍ତବହୁଳ ତୈଳ ପରିବହନ ସମୁଦ୍ରପଥ ମଧ୍ୟରୁ ଗୋଟିଏ। ବିଶ୍ୱର ବଡ଼ ଅଂଶର ଅଶୋଧିତ ତୈଳ ଓ ଏଲଏନଜି (LNG) ଏହି ମାର୍ଗ ଦେଇ ବିଭିନ୍ନ ଦେଶକୁ ପହଞ୍ଚିଥାଏ। ଏହି ପଥ ବନ୍ଦ ହେଲେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇପାରେ ଏବଂ ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏହି ସଂଘର୍ଷର ପ୍ରଭାବ କେବଳ ପଶ୍ଚିମ ଏସିଆରେ ସୀମିତ ରହିବ ନାହିଁ। ତୈଳ ଉପରେ ନିର୍ଭରଶୀଳ ଦେଶଗୁଡ଼ିକ, ବିଶେଷକରି ଭାରତ, ଚୀନ, ଜାପାନ ଏବଂ ୟୁରୋପର ଅନେକ ଦେଶ ପ୍ରଭାବିତ ହୋଇପାରନ୍ତି। ଯଦି ହର୍ମୁଜ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହେ, ତେବେ ଅଶୋଧିତ ତୈଳ ଦର ବଢ଼ିବା ସହ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଇନ୍ଧନର ମୂଲ୍ୟ ମଧ୍ୟ ବଢ଼ିପାରେ।