କୋଲ୍ ଇଣ୍ଡିଆ କର୍ପୋରେଟ୍ ସେଫ୍ଟି ବୋର୍ଡ ଦ୍ୱାରା ଏମସିଏଲ୍ ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ଏମସିଏଲ୍‌ର ସୁରକ୍ଷା ବ୍ୟବସ୍ଥା ଓ ଆଧୁନିକ ପ୍ରଶିକ୍ଷଣକୁ କୋଲ୍ ଇଣ୍ଡିଆ ସେଫ୍ଟି ବୋର୍ଡର ଉଚ୍ଚ ପ୍ରଶଂସା

ସମ୍ବଲପୁର, ୧୩/୦୭: କୋଲ୍ ଇଣ୍ଡିଆ କର୍ପୋରେଟ୍ ସେଫ୍ଟି ବୋର୍ଡର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗତ ଜୁଲାଇ ୯ ରୁ ୧୨, ୨୦୨୬ ତାରିଖ ପର୍ଯ୍ୟନ୍ତ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଗସ୍ତ କରି ଏହାର ବିଭିନ୍ନ କାର୍ଯ୍ୟକ୍ଷମ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।

ଏମସିଏଲ୍‌ର ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ, କୋଲ୍ ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସୁରକ୍ଷା) ଶ୍ରୀ ସି. ପି. ଗର୍ଗଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ, ଯେଉଁଥିରେ ଶ୍ରୀ ଏନ୍ କେ ସିଂହ (ବି.ଏମ୍.ଏସ୍), ଶ୍ରୀ ଅଖତର ଜାଭେଦ୍ ଓସମାନି (ଏଚ୍.ଏମ୍.ଏସ୍), ଶ୍ରୀ ସି ଜେ ଜୋସେଫ୍ (ଏ.ଆଇ.ଟି.ୟୁ.ସି), ଶ୍ରୀ ଜି କେ ଶ୍ରୀବାସ୍ତବ (ସି.ଆଇ.ଟି.ୟୁ) ଏବଂ ଶ୍ରୀ ଆର୍ କେ ଶର୍ମା (ଆଇ.ଏମ୍.ଏମ୍. ଏ) ସାମିଲ ଥିଲେ।

ଏହି ଚାରି ଦିନିଆ ଗସ୍ତ କାଳରେ ଟିମ୍ ଲଖନପୁର ଅଞ୍ଚଳର ହିମଗିର ବୁନ୍ଦିଆ ଭୂତଳ ଖଣି, ସମଲେଶ୍ୱରୀ ଓପନ୍ କାଷ୍ଟ ପ୍ରକଳ୍ପ, ବେସିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (BTI) ଓ ଗୋ ଅମୃତ ଗୋଶାଳା ଏବଂ ଓରିଏଣ୍ଟ ଅଞ୍ଚଳର ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ ପରିଦର୍ଶନ କରିଥିଲେ। ହିମଗିର ବୁନ୍ଦିଆ ଖଣିର ସୁବିକଶିତ ଭୂତଳ ଓ ଭୂପୃଷ୍ଠ ଭିତ୍ତିଭୂମି, ଇକୋ ପାର୍କର ପରିବେଶ ଅନୁକୂଳ ପଦକ୍ଷେପ ଏବଂ ସମଲେଶ୍ୱରୀ ଓସିପିରେ ଗ୍ରହଣ କରାଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥାକୁ ସଦସ୍ୟମାନେ ଉଚ୍ଚ ପ୍ରଶଂସା କରିବା ସହ ସୁରକ୍ଷା ନିୟମାବଳୀର ଅନୁପାଳନକୁ ବୁଝିବା ପାଇଁ ସେମାନେ ବିଭାଗୀୟ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ।

ପ୍ରତିନିଧି ଦଳ ଲଖନପୁର ସ୍ଥିତ ବି.ଟି.ଆଇ ଠାରେ ଭର୍ଚୁଆଲ୍ ରିଆଲିଟି (VR) ଆଧାରିତ ସୁରକ୍ଷା ପ୍ରଶିକ୍ଷଣ ମଡ୍ୟୁଲ୍ ପରିଦର୍ଶନ କରିଥିଲେ ଏବଂ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ଏମସିଏଲ୍‌ର ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ। ଏହା ସହିତ ବୋର୍ଡ ସଦସ୍ୟମାନେ ଗୋ ଅମୃତ ଗୋଶାଳାର ମଧ୍ୟ ପ୍ରଶଂସା କରିଥିଲେ, ଯାହା ପ୍ରାଣୀ କଲ୍ୟାଣ ପ୍ରତି ଏମସିଏଲ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

କର୍ପୋରେଟ୍ ସେଫ୍ଟି ବୋର୍ଡର ସଦସ୍ୟମାନେ ସୁରକ୍ଷା ମାନଦଣ୍ଡକୁ ଆହୁରି ସୁଦୃଢ଼ କରିବା ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଲଖନପୁର, ଓରିଏଣ୍ଟ ଏବଂ ଇବ୍ ଭ୍ୟାଲି ଅଞ୍ଚଳର ଏରିଆ ଜେନେରାଲ ମ୍ୟାନେଜରଙ୍କ ସମେତ ସିଆଇଏଲ୍‌ର ଜି.ଏମ୍ (ସୁରକ୍ଷା ଏବଂ ଉଦ୍ଧାର) ଶ୍ରୀ ଇ. କାର୍ତ୍ତିକେୟନ, ଏମସିଏଲ୍‌ର ଜିଏମ୍ (ସୁରକ୍ଷା ଏବଂ ଉଦ୍ଧାର) ଶ୍ରୀ ସୁନୀଲ ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରତିନିଧି ଦଳ ସହ ଉପସ୍ଥିତ ଥିଲେ ଏବଂ ଏମସିଏଲ୍‌ର ସମସ୍ତ କାର୍ଯ୍ୟକଳାପରେ ସୁରକ୍ଷାକୁ ଅଧିକ ବ୍ୟାପକ କରିବା ପାଇଁ ଏହି ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରାଯିବ ବୋଲି ସେମାନେ ଆଶ୍ୱାସନା ଦେଇଛନ୍ତି।