ଓଡ଼ିଶାର ଆଇଟିଆଇ କ୍ଲଷ୍ଟର ପାଇଁ କେନ୍ଦ୍ର ସରକାରଙ୍କ ୨୪୦ କୋଟି ଟଙ୍କା ମଞ୍ଜୁର

ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ପାଇଁ ପଦକ୍ଷେପ ନେଇଥିବାରୁ ଡବଲଇଞ୍ଜିନ ସରକାରଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ

ଯୁବପିଢ଼ିଙ୍କ ଦକ୍ଷତା ବିକାଶ ବିଜେପିର ପ୍ରାଥମିକତା: ତପନ କୁମାର ଚାନ୍ଦ

ଭୁବନେଶ୍ୱର, ୧୭/୧୦: ଓଡ଼ିଶାର ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ରାଜ୍ୟରେ ଶିଳ୍ପଭିତିକ ଦକ୍ଷତା ବିକାଶର ପଥକୁ ଅଧିକ ପ୍ରଶସ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପିଏମ୍ ସେତୁ ଯୋଜନା ଅଧୀନରେ ଓଡ଼ିଶାର କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତିକରଣ ପାଇଁ ଭାରତ ସରକାରଙ୍କ ଜାତୀୟ ଷ୍ଟିୟରିଂ କମିଟି (ଏନ୍‌ଏସ୍‌ସି), ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୨୪୦.୫୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରାଯାଇଛି। ଏହି କ୍ଲଷ୍ଟରର ରଣନୀତିକ ନିବେଶ ଯୋଜନା (ଏସ୍‌ଆଇପି) ଟାଟା ଷ୍ଟିଲ୍ ଫାଉଣ୍ଡେଶନ୍‌ର ସହଯୋଗରେ କାର୍ଯ୍ୟକାରୀ ହେବ। ଏଥିରେ ହବ୍‌-ଆଣ୍ଡ୍‌-ସ୍ପୋକ୍ ମଡେଲ୍ ଅନୁସରଣ କରାଯିବ। ସରକାରୀ ଆଇଟିଆଇ, କଟକ ମୁଖ୍ୟ କେନ୍ଦ୍ର (ହବ୍‌) ଭାବେ କାର୍ଯ୍ୟ କରିବାକୁ ଥିବାବେଳେ ସରକାରୀ ଆଇଟିଆଇ, ଚୌଦ୍ୱାର, ପାରାଦୀପ, ଯାଜପୁର ଓ ଢେଙ୍କାନାଳ ଏହାର ସହଯୋଗୀ କେନ୍ଦ୍ର (ସ୍ପୋକ୍‌) ଭାବେ କାର୍ଯ୍ୟ କରିବ। ଏହି ଜନକଲ୍ୟାଣକାରୀ ତଥା ଦକ୍ଷତା ଭିତିକ ପଦକ୍ଷେପ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ବିଜେପି ଶିଳ୍ପ ପ୍ରକୋଷ୍ଠର ସଂଯୋଜକ ତଥା ରାଜ୍ୟ ମୁଖପାତ୍ର ଡ. ତପନ କୁମାର ଚାନ୍ଦ, ଅନ୍ୟତମ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡ଼ା, ଶ୍ରୀ ସତ୍ୟବ୍ରତ ପଣ୍ଡା ଏକ ମିଳିତ ପ୍ରେସ ବିବୃତି ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଅନ୍ତରରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମିଳିତ ପ୍ରେସ ବିବୃତିରେ ଦର୍ଶାଯାଇଛି ଯେ, ଆଜିର ଯୁଗରେ ଯୁବପିଢ଼ିଙ୍କ ପାଇଁ ବୈଷୟିକ ଜ୍ଞାନକୌଶଳ ଏବଂ ଗୁଣାତ୍ମକ ପ୍ରଶ୍ୱିକ୍ଷଣ ଅତ୍ୟନ୍ତ ଜରୁରୀ। କଟକ ଆଇଟିଆଇ କ୍ଲଷ୍ଟରର ଏହି ଆଧୁନିକୀକରଣ ଯୋଗୁଁ ରାଜ୍ୟର ଯୁବକଯୁବତୀମାନେ ବିଭିନ୍ନ ଶିଳ୍ପ ସଂସ୍ଥାର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହୋଇପାରିବେ। ଏହି ପ୍ରକଳ୍ପ ଜରିଆରେ କର୍ମଶାଳା ଭିତିଭୂମିର ଆଧୁନିକୀକରଣ କରାଯିବ ସହ ଶିଳ୍ପ ୪.୦ ଆଧାରିତ ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମ ପ୍ରଚଳନ, ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ସହ ପ୍ରଶିକ୍ଷଣକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ଉନ୍ନତ ଉତ୍ପାଦନ ଓ ରୋବୋଟିକ୍ସ, ଇଂଟରନେଟ୍ ଅଫ୍ ଥିଙ୍ଗ୍ସ, ସାଇବର-ଫିଜିକାଲ୍ ସିଷ୍ଟମ୍‌, ଆଡିଟିଭ୍ ମ୍ୟାନୁଫାକ୍ଚରିଂ, ସବୁଜ ଶକ୍ତି, ଇଲେକ୍ଟ୍ରିକ୍ ଯାନ (ଇଭି) ଏବଂ ଡିଜିଟାଲ୍ ଲଜିଷ୍ଟିକ୍ସ ଓ ସପ୍ଲାଏ ଚେନ୍ ପ୍ରଯୁକ୍ତି ଭଳି ଆଧୁନିକ ବିଷୟ ସାମିଲ ହେବ। ଏହି ନୂତନ ପାଠ୍ୟକ୍ରମ ଗୁଡ଼ିକର ସଫଳ ପରିଚାଳନା ପାଇଁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏନ୍‌ଏସ୍‌ଆଇଟି) ମାଧ୍ୟମରେ ୩,୭୪୪ ଜଣ ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରାଯାଇଛି।

ଏଥିସହ ନିକଟରେ ଓଡ଼ିଶା କ୍ୟାବିନେଟ୍ ‘ଦକ୍ଷତା ବିକାଶ ଯୋଜନା’କୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟର ୪ ଲକ୍ଷ ୨୦ ହଜାର ଯୁବକ, ଯୁବତୀଙ୍କୁ ଶିଳ୍ପ ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ଏଥିରେ ୩ ଲକ୍ଷ ଯୁବକ, ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତା (ଇଓ) କ୍ଷେତ୍ରରେ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ସହ ସମନ୍ୱୟ ରକ୍ଷା କରି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଆଦର୍ଶ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ପାଇଁ ଲକ୍ଷ୍ୟଭିତିକ ପ୍ରକଳ୍ପ ଓ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ଏହି ପ୍ରକଳ୍ପ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ସମସ୍ତ ପଦକ୍ଷେପ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ସହ ଦେଶ ଓ ବିଦେଶରେ ଉଦୀୟମାନ ଶିଳ୍ପ ଓ ନିଯୁକ୍ତି କ୍ଷେତ୍ରରେ ଉପଲବ୍ଧ ସୁଯୋଗ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ। ଏହି ଯୋଜନାଗୁଡ଼ିକ ଫଳାଫଳ ଭିତିକ ହୋଇଥିବାରୁ ଯୁବକ, ଯୁବତୀଙ୍କ ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ ବୋଲି ଆଶା କରାଯାଉଛି।

ପୂର୍ବ ବିଜେଡି ସରକାରରେ ଦକ୍ଷତା ବିକାଶ କେବଳ ଯୋଜନା ଓ ବିଜ୍ଞାପନରେ ସୀମିତ ରହିଥିବା ବେଳେ ଓଡ଼ିଶାର ବିକାଶ ଧାରାକୁ ଆହୁରି ଦ୍ରୁତଗତିରେ ଆଗକୁ ନେବାକୁ ବିଜେପି ସର୍ବଦା ପ୍ରତିବଦ୍ଧ। ଶିଳ୍ପାୟନ ବୃଦ୍ଧି ସହ ଦକ୍ଷତା ବିକାଶର ପରିସୀମାକୁ ବ୍ୟାପକ ବୃଦ୍ଧି କରାଯାଇ ଶିଳ୍ପ ଓ ସମୟର ଆବଶ୍ୟକତା ଅନୁଯାୟୀ ଓଡ଼ିଆ ଯୁବକ, ଯୁବତୀମାନଙ୍କୁ ଦକ୍ଷ ଓ ଯୋଗ୍ୟ କରିବା ପାଇଁ ପ୍ରୟାସ କରାଯାଇଥିବାରୁ ଡବଲ୍‌ଇଞ୍ଜିନ୍ ସରକାରଙ୍କୁ ବିଜେପି ପକ୍ଷରୁ ଧନ୍ୟବାଦ ଜଣାଯାଇଛି।