ଭୁବନେଶ୍ୱର, ୧୭/୧୦: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ମନ୍ତ୍ରିପରିଷଦର ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଛନ୍ତି।
ବ୍ରଜମୋହନ ରାମ ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ବ୍ରଜମୋହନ ରାମ ଅକ୍ଟୋବର ୧୮ ତାରିଖ ଅର୍ଥାତ୍ ରବିବାର ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକଭବନର ନୂଆ ଅଭିଷେକ ହଲ୍ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି, ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ ପୂର୍ବରୁ ନବନିଯୁକ୍ତ ରାଜ୍ୟପାଳ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।